ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ସତ୍ୟ ଓ ତଥ୍ୟଭିତିକ ସମ୍ବାଦ ପରିବେଷଣକୁ ଗୁରୁତ୍ୱ

କଟକ: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏହି ସ୍ତମ୍ଭକୁ ମଜବୁତ ରଖିବାକୁ ହେଲେ ଏହାର ମୂଳଦୁଆ ହେଉଛି ବିଶ୍ୱସନୀୟତା ।ଗଣମାଧ୍ୟମ ଏପରି ଏକ ଶକ୍ତିଶାଳୀ ମାଧ୍ୟମ ଯାହା ଗଣତନ୍ତ୍ରର ଅନ୍ୟ ତିନିଟି ସ୍ତମ୍ଭ ଉପରେ ନଜର ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ରବିବାର ଜିଲ୍ଳାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୫ ପାଳନ ଅବସରରେ ବକ୍ତାମାନେ ଏହି ମତପ୍ରକାଶ କରିଥିଲେ। ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ପ୍ରେସ ଦିବସର ସ୍ଥିରୀକୃତ ଆଲୋଚ୍ୟ ବିଷୟବସ୍ତୁ “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ” ଉପରେ ଆଲୋଚନା ପୂର୍ବକ ସମାରୋହର ମୁଖ୍ୟ ଅତିଥି କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନ୍‌ଦୀପ କୌର ସହୋତା ପରିବର୍ତନ ସହ ତାଳ ଦେଇ ନିରପେକ୍ଷ, ନିଜସ୍ୱମତସମ୍ପନ୍ନ ଓ ମାନବିକତାପୂର୍ଣ୍ଣ ଏବଂ ସତ୍ୟ ଓ ତଥ୍ୟଭିତିକ ସମ୍ବାଦ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ସମାରୋହରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପୋ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ୱରରେ ପରିଣତ କରିବା ପାଇଁ ଅବିରତ ଚେଷ୍ଟିତ ସାମ୍ବାଦିକମାନେ ସର୍ବଦା ସତ୍ୟକୁ ସମାଜ ଆଗରେ ପରିବେଷଣ କରିବାର ଦାୟିତ୍ୱ ନିର୍ବାହ କରିବା ଉଚିତ୍ ବୋଲି କହିଥିଲେ । ସମାରୋହର ମୁଖ୍ୟ ବକ୍ତା ପ୍ରାଧ୍ୟାପକ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ, ଭାରତୀୟ ଜନସଂଚାର ସଂସ୍ଥାନ, ଡଃ ମୃଣାଳ କୁମାର ଚାଟାର୍ଜୀ କହିଥିଲେ ବିଶ୍ୱସନୀୟତା ହେଉଛି ସାମ୍ବାଦିକତାର ଆତ୍ମା । କୃତ୍ରିମ ମେଧା କେବେହେଲେ ମଣିଷପଣିଆ ଓ ଭଲପାଇବାର ସ୍ଥାନ ନେଇପାରିବ ନାହିଁ । ଏବେ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଖବରକୁ ବିଶ୍ୱସନୀୟ ଓ ମହତ୍ୱପୂର୍ଣ୍ଣ କରିବାର ଦାୟିତ୍ୱ ମଧ୍ୟ ସମାନ ଭାବରେ ବୃଦ୍ଧି ପାଇଛି । ସଠିକ ତଥ୍ୟ ପ୍ରମାଣ ଯାଂଚ ପୂର୍ବକ ଲୋକଙ୍କ ନିକଟରେ ଖବର ପହଂଚାଇବାର ଗୁରୁଦାୟିତ୍ୱ ସାମ୍ବାଦିକମାନଙ୍କର ରହିଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *