ସାମ୍ବାଦିକତା କ୍ଷେତ୍ରରେ ମୂଳ କଥା ହେଉଛି;ବୃତ୍ତିଗତ ସ୍ବାଧୀନତା ବା ସ୍ୱତନ୍ତ୍ରତା। ସମାଜର ଅସହାୟତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଜଣେ ବ୍ୟକ୍ତି ସୃଜନଶୀଳ ବିଚାର ରଖେ।ତହୁଁ ସାମ୍ବାଦିକ ହେବାକୁ ପଣ କରେ।ଯାହା ଭିତରେ ଆତ୍ମ ସ୍ୱାଭିମାନ ନଥାଏ ହୁଏତ ସେ ଟାଉଟରିର ଟୋପି ପିନ୍ଧି ପାରେ!ଜୀବନର ପ୍ରାରମ୍ଭିକ ସମୟରେ ଏମାନଙ୍କ ସଂଖ୍ୟା କମ।
ସମାଜର ଏବେକା ଅବସ୍ଥାନୁସାରେ କେତେକ ନିହାତି ଅଯୋଗ୍ୟ ବ୍ୟକ୍ତି ପ୍ରେସ ଲେଖା ଥିବା କାର୍ଡ ଖଣ୍ଡେ ଧରି ଦଲାଲି କରିବା ପାଇଁ ସାମ୍ବାଦିକ ବୋଲାଇ ହେବା ଘଟଣା ଯଦିଓ ବିରଳ ନୁହେଁ । ତେବେ କର୍ମକ୍ଷେତ୍ରରେ ଏମାନେ ବାରି ହୋଇ ପଡନ୍ତି। ଦ୍ବିତୀୟତଃ ସାମ୍ବାଦିକତା ଏକ ପ୍ରତ୍ୟୁପ୍ନ ମସ୍ତିଷ୍କ ସମ୍ପନ୍ନ ବୌଦ୍ଧିକ ପେଷାଦାର ବୃତ୍ତି। ସମସ୍ତଙ୍କ ଦେଇ ଏ କାମ ସମ୍ଭବବି ନୁହେଁ। ରାଷ୍ଟ୍ରତନ୍ତ୍ର ଯହୁଁ ଯହୁଁ ଛଦ୍ମବେସୀ ହୁଏ ଗଣ ମାଧ୍ୟମ ତହୁଁ ତହୁଁ ଧନତନ୍ତ୍ର, ଭ୍ରଷ୍ଟାଚାରୀଙ୍କ ସୁରକ୍ଷା କବଚ ବନେ।ବଜାର ବ୍ୟବସ୍ଥା ପାଖେ ମୁଣ୍ଡ ଓ ତୁଣ୍ଡ ବିକିବା ପାଇଁ ମେଡିଆ ମାଲିକ ମାନେ ପ୍ରତିଯୋଗିତା କରନ୍ତି।ବିଲେଇକୁ ବାଘ,ବଳଦକୁ ଭୃଷବ,ସଗଡ଼କୁ ରେଳ ବୋଲି ବୁଝେଇବା ପାଇଁ ବିକଳ ପ୍ରତିଯୋଗିତା କରନ୍ତି।
ଏମାନଙ୍କ ଦ୍ୱାରା ପ୍ରାୟୋଜିତ ଛଦ୍ମ ଯୁଦ୍ଧରେ କିଛି ନିରୀହ ମଣିଷ ସୀକାର ହୁଅନ୍ତି।ସତ୍ ସାହସ ଅଭାବରୁ ୟା ତା କାନ୍ଧରେ ବନ୍ଧୁକ ଥୁଅନ୍ତି ଏମାନେ। ସିଧା ସଳଖ କହିବାକୁ ଗଲେ ଏଭଳି ପରାଙ୍ଗପୃଷ୍ଟ ସଂସ୍ଥାର ମୂଳ ପିଣ୍ଡ ହେଉଛି – ବେଇମାନି। ନିଜ ପାଠକ, ଦର୍ଶକଙ୍କ ପ୍ରତି ବିଶ୍ୱାସଘାତ।ଏ ବେଳରେହିଁ ସାମ୍ବାଦିକର ବ୍ୟକ୍ତିଗତ ସ୍ବାଧୀନତା ବା ସ୍ୱତନ୍ତ୍ରତା,ପେଷାଦାର ବିଚାର ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ।
ତେବେ ଏଇ ସମୟ ଗଣମାଧ୍ୟମ ପାଇଁ ଏକ ସନ୍ଧିକାଳ।ଅଭିବ୍ୟକ୍ତିର ଅଧିକାର ଉପରେ ରାଷ୍ଟ୍ର ଅଧିକରୁ ଅଧିକ ଆକ୍ରମଣାତ୍ମକ ହୋଇ ଉଠିଛି।ଅପରପକ୍ଷେ ବଚସ୍କାରିତାକୁ ମିଳୁଛି ସର୍ବବୃହତ ସୁରକ୍ଷା। ରାଷ୍ଟ୍ରବ୍ୟବସ୍ଥାର ଅସହାୟତା ଦେଶର ସଂସଦ ଓ ବିଧାନସଭାର ପରିଚାଳନାରୁ ବାରି ହୋଇ ପଡିଛି।ଗଣଙ୍କର କଥା କହିବା ପାଇଁ ସାମ୍ବାଦିକହିଁ ଏକମାତ୍ର ମାଧ୍ୟମ।ଅତଏବ ଦାୟିତ୍ୱ ବଢିଛି। ସ୍ରୋତର ଅନୁକୂଳରେ ମଲା ମାଛ ପରି ପହଁରିବା କେବେବି ସାମ୍ବାଦିକର ଧର୍ମ ନଥିଲା। ଏହା ମନ୍ଥନର ବେଳ। ପରିଚିତ ବା ସେଲିବ୍ରିଟି ସାମ୍ବାଦିକଙ୍କ ପାଖେ କାର୍,ବଙ୍ଗଳା,ସୁଖ,ସମୃଦ୍ଧି,ଐଶ୍ୱର୍ଯ୍ୟ ରହିଛି। ଡାଇତ୍ୱବାନଙ୍କ ପାଖରେ ରହିଛି ଭୟକୁ ପରାହତ କରିବାର ସାହାସ ଓ ପକେଟରେ କଲମ ଟିଏ।
ସମାଜର ଦାଇତ୍ୱ ସମ୍ପନ ଲୋକେବି ସାମ୍ବାଦିକଙ୍କୁ କର୍ମଚାରୀ,ଚାକିରିଆ ପରି ଶବ୍ଦ କହି ଆକ୍ଷେପ କରିବାକୁ ସୁଖ ପାଆନ୍ତି।ମନ୍ତ୍ରୀ ମିନିଷ୍ଟର ମାନେ ପେଷାଦାର ସାମ୍ବାଦିକଙ୍କ ପେଟରେ ଲାତ ମାରି ବଡିମା ଦେଖାନ୍ତି। ଏହାକୁ ମୂର୍ଖାମୀ ବା ବୌଦ୍ଧିକ ଦାରିଦ୍ର୍ୟତା କୁହା ଯାଇ ପାରେ।ଏକଥାବି ଆଶ୍ଚର୍ଯ୍ୟ କରେଯେ; କଲମ କେମିତି ବନ୍ଧା ପଡି ପାରେ,ହୃଦୟ କିଭଳି ଆବେଗ ଶୁନ୍ୟ ହୋଇପାରେ ?
ସତୀଶ ମିଶ୍ର
ସମ୍ପାଦକ, ଛାଇ