ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜୀମାନଙ୍କର ଆକ୍ରମଣକୁ ପୋଲାଣ୍ଡ ଦମ୍ଭର ସହିତ ପ୍ରତିରୋଧ କରିଥିଲା। ଗାନ୍ଧୀଜୀ ପୋଲାଣ୍ଡର ବୀରତାକୁ ଭୂୟସୀ ପ୍ରଶଂସା କରିଥିଲେ। ଜଣେ ପୋଲାଣ୍ଡର ମହିଳା ଏହି ପ୍ରସଙ୍ଗରେ ତାଙ୍କୁ ଚିଠି ଲେଖିଥିଲେ। ଗାନ୍ଧୀଜୀ ତାଙ୍କୁ ଉତ୍ତରରେ ଲେଖିଥିଲେ ଯେ, ଭଦ୍ର ମହିଳା ଆନନ୍ଦିତ ଥିଲେ ତାଙ୍କର ହୃଦବୋଧ ହୋଇଥିଲା କି ତାଙ୍କର ଆଦରଣୀୟ ସ୍ୱପ୍ନର ପୋଲାଣ୍ଡ ନିଜର ଶେଷ ରକ୍ତକଣିକା ପର୍ଯ୍ୟନ୍ତ ଲଢେଇ କରିଥିଲା। ବାସ୍ତବରେ ପୋଲାଣ୍ଡର ଲଢେଇ କେବଳ ତାର ନିଜର ସ୍ୱାଧିନତା ପାଇଁ କରିଥିଲା ବୋଲି କହିବା ଠିକ ହେବ ନାହିଁ। ଏହା କହିବା ଠିକ୍ ହେବ ଯେଉଁମାନେ ସ୍ୱାଧୀନତା ହରାଇଛନ୍ତି ପୋଲାଣ୍ଡ ସେମାନଙ୍କର ତରଫରୁ ମଧ୍ୟ ଲଢେଇ କରୁଥିଲା। ଏଣୁ ଭାରତ ତାଙ୍କର ଦ୍ୱିତୀୟ ପ୍ରିୟ ଦେଶ ହୋଇଥିଲା। ତାଙ୍କର ପରିକଳ୍ପନା ଚରିତାର୍ଥ ହେବ ଯଦି ପୋଲାଣ୍ଡ ଅତିଶୟ ମାତ୍ରାରେ ବିରତ୍ୱ ପ୍ରଦର୍ଶନ କରିବ ଏଥି ସହିତ ସମପରିମାଣର ପରମାର୍ଥ ପ୍ରଦର୍ଶନ କରିପାରିବ। ତେବେ ନିଜର ପ୍ରତିରକ୍ଷା ପାଇଁ ପୋଲାଣ୍ଡର ହିଂସା ଆଚରଣ ଇତିହାସରେ ଯଶ୍ୱସୀ ହେବ। ଏହି ପ୍ରକାର ହିଂସା ଆଚରଣକୁ ଅହିଂସା କୁହାଯିବ। ମଧ୍ୟ ଇଉରୋପର ପୋଲାନ ଜନଜାତିକୁ ନେଇ ଗଢି ଉଠିଥିଲା ପୋଲାଣ୍ଡ ଦେଶ। ୧୦୨୫ ଖ୍ରୀଷ୍ଟାବ୍ଦ ପର ଠାରୁ ଦେଶର ଭିତ୍ତି ପଡିଥିଲେ ମଧ୍ୟ ୧୭୯୧ ବେଳକୁ ଏହାର ଶାସନର ଆଧୁନିକ ଯୁଗ ଆରମ୍ଭ ହୋଇଥିଲା। ଯାହା ପୋଲାଣ୍ଡର ସୁବର୍ଣ୍ଣ ଯୁଗ କୁହାଯିବ। ଏହାର ଅନ୍ତ ଘଟାଇ ପଡୋଶୀ ଶକ୍ତିଗଣ ତାକୁ ତିନି ଖଣ୍ଡ କରି ଦେଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ପରେ ପୁଣି ଥରେ ବିଛିନ୍ନ ଅଞ୍ଚଳ ଏକାଠି ହୋଇ ଗୋଟିଏ ଦେଶରେ ପରିଣତ ହେଲା। ୧୯୩୯ରେ ଜର୍ମାନ ତାକୁ ଦଖଲ କରି ନେଇଥିଲା। ଜର୍ମାନ ହାତରୁ ମୁକ୍ତି ପାଇବା ପରେ କମ୍ୟୁନିଷ୍ଟ ନାମରେ ଅନ୍ଧାରୀ ଶାସନ ଆରମ୍ଭ ହୋଇଯାଇଥିଲା। ୧୯୮୦ ମସିହାରେ ମୌଳିକ ଅଧିକାରରୁ ବଞ୍ଚିତ ପୋଲାଣ୍ଡର ସାଧାରଣ ଜନତା ଶାସନ ଡୋରି ହାତକୁ ନେବା ପାଇଁ ବିପ୍ଳବ ଆରମ୍ଭ କରିଥିଲେ। ଯାହା ସଲିଡାରିଟି ଆନ୍ଦୋଳନ ନାମରେ ଇତିହାସ ପ୍ରସିଦ୍ଧ। ୧୯୮୯ ମସିହାରେ ଏକଛତ୍ର ଶାସନର ଧରାଶାୟୀ ହେଲା। କଲ୍ୟାଣକାରୀ ଗଣତନ୍ତ୍ର ସରକାର ଗଠନ କରାଗଲା। ସଲିଡାରିଟି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଲିଚେ ଓ୍ୟାଲେସା। ସେ ୧୯୪୩ ମସିହା ସେପ୍ଟେମ୍ବର ୨୯ ତାରିଖରେ ପୋଲାଣ୍ଡର ପୋପୋଓ ସହରରେ ଜନ୍ମଗ୍ରହଣ କରିଥାଏ। ସେତେବେଳେ ପୋଲାଣ୍ଡ ନଦୀ ଜର୍ମାନ କବଳରେ ଥିଲା। ତାଙ୍କର ବାପା ବେଲେସଲ ଓ୍ୟାଲସା ଜଣେ କାଠ କାମ ବଢେଇ ଥିଲେ । ଲେଚେଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ମାତା ଫେଲିକସା ଘରର ସବୁ ଦାୟିତ୍ୱ ମୁଣ୍ଡକୁ ନେଇ ସବୁ ସନ୍ତାନ ସନ୍ତତିଙ୍କୁ ଲାଳନ ପାଳନ କରିଥିଲେ। ବାଲ୍ୟ ଅବସ୍ଥାରୁ ପିତୃହରା ହୋଇଥିବାରୁ ଲେଚେ ପ୍ରବଳ ପରିଶ୍ରମରେ ଅଭ୍ୟସ୍ତ ହୋଇଯାଇଥିଲେ। ଦିନ ମୁଲିଆ ଶ୍ରେଣୀର ଲୋକଙ୍କ ପାଇଁ ତାଙ୍କର ମନରେ ଗଭୀର ସମବେଦନା ଥିଲା। ତାଙ୍କର ପରିବାରର ଚଳିପାରିବା ପରି ଜମିବାଡି ଥିଲା। ଲେଚେ ପିଲାଦିନରୁ ପ୍ରତିଭାବାନ ଭାବରେ ସମସ୍ତଙ୍କର ଆଦରର ପାତ୍ର ହୋଇଥିଲେ। ଫସଲ ଅମଳ ଓ ଘରକରଣା କାମରେ ସେ ତାଙ୍କର ମାତାଙ୍କୁ ସାହାଯ୍ୟ କରୁଥିଲେ। ପରିବାରର ଆର୍ଥିକ ଦୁରାବସ୍ଥା ସମୟରେ ସେମାନେ କାହାଠାରୁ ସାହାଯ୍ୟ ନେଉନଥିଲେ। ସେ କୁଇନେ ପ୍ରାଥମିକ ବିଦ୍ୟାଳୟରେ ପଢିସାରିବା ପରେ ଲିପନେ ବୈଷୟିକ ବିଦ୍ୟାଳୟରୁ ମେକାନିକ ପାଠ ପଢିଥିଲେ। ବିଦ୍ୟାଳୟରେ ପଢିବା ବେଳେ ପରୀକ୍ଷାରେ ସେ ଅଧିକ ମାର୍କ ରଖି ପାରୁନଥିଲେ। ତାଙ୍କର ହାତରେ କାରିଗରୀ ଯାଦୁ ଥିଲା ତାଙ୍କର ଦୃଢ ସଙ୍କଳ୍ପ ତାଙ୍କର ନେତୃତ୍ୱ ନେବାର ଗୁଣ ସମସ୍ତଙ୍କ ନିକଟରେ ତାଙ୍କୁ ପ୍ରିୟପାତ୍ର କରିପାରିଥିଲା। ୧୯୬୧ରେ ସେ ପାଠ ପଢା ସାରିଲା ପରେ ପୋଲାଣ୍ଡ ଦେଶର ନିୟମ ଅନୁସାରେ ତାଙ୍କୁ ସେନାବାହିନୀରେ ପ୍ରଥମେ କାମ କରିବାକୁ ପଡିଥିଲା। ୧୯୬୭ ଠାରୁ ସେ ଲେଲିନ ସିପିଆଡରେ ଇଲେକଟ୍ରିକସିଆନ ଭାବରେ କାର୍ଯ୍ୟ କରିଥିଲେ। ଶ୍ରମିକମାନଙ୍କର ସଂଗଠନରେ ସେ ଆଗ୍ରହ ନେଲେ। ୧୯୬୮ ଛାତ୍ର ଆନ୍ଦୋଳନକୁ ବିରୋଧ କରି ଶ୍ରମିକଙ୍କର ପ୍ରତିବାଦକୁ ସେ ସମସ୍ତଙ୍କୁ ଅନୁରୋଧ କରି ବନ୍ଦ କରାଇ ପାରିଥିଲେ। ୧୯୭୦ ମସିହାରେ ଖାଦ୍ୟ ସାମଗ୍ରୀର ଦରଦାମ ବିରୁଦ୍ଧରେ ଶ୍ରମିକ ଅସନ୍ତୋଷ ପ୍ରକାଶ ପାଇଲା। ସରକାରଙ୍କର ମନମୁଖୀ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କରାଗଲା। ଶ୍ରମିକ ସଂଗଠନ ସମୁହର ଅଧ୍ୟକ୍ଷ ଭାବରେ ଲେଚେଙ୍କୁ ନିର୍ବାଚିତ କରାଯାଇଥିଲା। ଧର୍ମଘଟରେ ୩୦ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଲା। ଲେଚେ କିଛି ଗୋଟେ ବୃହତ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ୧୯୭୬ ମସିହା ଜୁନ ମାସରେ ଶ୍ରମିକ ସଂଗଠନଗୁଡିକୁ ଆତଙ୍କବାଦ ମାର୍ଗରେ ପରିଚାଳନା କରିବା, ନିର୍ଦ୍ଧାରିତ କାମଦାମରେ ବ୍ୟାଘାତ ସୃଷ୍ଟି କରିବା ଓ ମୃତ ଶ୍ରମିକମାନଙ୍କ ପାଇଁ ଅଯୁକ୍ତିକର ଦାବୀ ସ୍ଥାପନ କରିବାର ଅପରାଧକୁ ଘୋଷଣା କରି ତାଙ୍କୁ ତାଙ୍କର କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ସେ ପେଟ ପାଟଣା ପାଇଁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରେ ସାମୟିକ କାମ କରୁଥିଲେ। ତାଙ୍କର ପରିବାର ବାରମ୍ବାର ପୋଲିସ ଓ ପ୍ରଶାସନ ଦ୍ୱାରା ନିର୍ଯ୍ୟାତିତ ହେଉଥିଲେ। ଗୋଇନ୍ଦା ବିଭାଗ ତାଙ୍କର ପଛରେ ପଡିରହୁଥିଲା। ତାଙ୍କୁ ଗିରଫ କରି ନିଆଗଲା। ଶ୍ରମିକ ସଂଗଠନଗୁଡିକ ଏକଜୁଟ ହେଲେ ୧୯୭୬ ପରେ କାରାଦଣ୍ଡ ଭୋଗୁଥିବା ଶ୍ରମିକମାନଙ୍କର ପରିବାରକୁ ଚଳିବା ପାଇଁ ସାହାଯ୍ୟ ଦେବାକୁ ଆରମ୍ଭ କରିଥିଲେ । ୧୯୭୮ ମସିହା ଠାରୁ ଲେଚେ ଆନ୍ଦୋଳନକୁ ପରିଚାଳନା କରିବାକୁ ଗୋପନ ବାସରେ ରହିଗଲେ। ୧୯୮୦ ମସିହାରେ ଖାଦ୍ୟ ସାମଗ୍ରୀର ଦରଦାମ ହୁହୁ କରି ବଢିବାକୁ ଆରମ୍ଭ କରିଥିଲା। ଏଥର ଆନ୍ଦୋଳନ ଜୋର ଧରିଥିଲା। ଲେଚେ ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରିଥିଲେ। ଆନ୍ଦୋଳନ ତାଙ୍କର ମାର୍ଗ ପ୍ରଦର୍ଶନରେ ସମଗ୍ର ପୋଲାଣ୍ଡରେ ଜୋର ଧରିଲା। ଲେଚେ ଓ୍ୟାଲେସା ମହାତ୍ମା ଗାନ୍ଧୀଙ୍କର ବିଚାରରେ ଅଖଣ୍ଡ ବିଶ୍ୱାସ ରଖିଥିଲେ। ସେ ସତ୍ୟ, ଅହିଂସା, ସତ୍ୟାଗ୍ରହକୁ ଅନୁସରଣ କରିବାରେ ଆଦୌ ହେଳା କରୁନଥିଲେ। ଲେଚେଙ୍କର ବିପ୍ଳବୀ ସଂଗଠନରେ ଏକ କୋଟି ସଦସ୍ୟ ସକ୍ରିୟ ରହିଲେ। ୧୯୮୧ ମସିହା ମାର୍ଚ୍ଚ ମାସରେ ପୋଲାଣ୍ଡ ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ପ୍ରସ୍ତାବ ଦେଲେ। ଲେଚେ ଆଲୋଚନା ଆରମ୍ଭ ପୂର୍ବରୁ କହିଲେ ସାମ୍ୟବାଦୀ ବିଚାର ଉତ୍ତମ ଅଟେ। କିନ୍ତୁ କେତେକ ବ୍ୟକ୍ତି ଏହାର ଅଢୁଆଳରେ କୁକାର୍ଯ୍ୟ କରିଚାଲିଛନ୍ତି। ଲେଚେଙ୍କ ସହିତ ସରକାର ମାତ୍ର ଦଶମାସ ଭଲ ସମ୍ପର୍କ ରଖିବାର ଅଭିନୟ କରିଲେ। କିନ୍ତୁ ୧୯୮୧ ମସିହା ଡିସେମ୍ବର ମାସରେ ସାମରିକ ଶାସନ ଜାରି କରିଦେଲେ। ଅନେକ ସଲିଡାରିଟି ଆନ୍ଦୋଳନର ନେତାଙ୍କୁ ଗିରଫ କରି ନିଆଗଲା। ଲେଚେ ମଧ୍ୟ ବାଦ ପଡିନଥିଲେ। ତାଙ୍କୁ ଏଗାର ମାସ କାଳ ଗୋଟିଏ ସୀମାନ୍ତ ଜେଲରେ ଅଟକ ରଖାଯାଇଥିଲା। ୧୯୮୨ ମସିହାରେ ସଲିଡାରିଟି ସଂଗଠନକୁ ବେଆଇନ ଘୋଷଣା କରାଗଲା। ଲେଚେ ପୁଣି ଥରେ ଇଲେକ୍ଟ୍ରିସିଆନ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ। ସେହି ବେଳରେ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଦିଆଗଲା। ସେ ଦ୍ୱନ୍ଦରେ ପଡିଗଲେ। ଯଦି ନୋବେଲ ପୁରସ୍କାର ଗ୍ରହଣ କରିବାକୁ ଦେଶ ବାହାରକୁ ଯିବେ ତେବେ ପୋଲାଣ୍ଡର ସାମରିକ ସରକାର ତାଙ୍କୁ ହୁଏତ ଦେଶ ଭିତରକୁ ପ୍ରବେଶ କରିବାକୁ ଅନୁମତି ନଦେଇପାରେ। ସେ ଦେଶ ବାହାରେ ରହିଗଲେ ଆନ୍ଦୋଳନ ଭଣ୍ଡୁର ହୋଇଯିବ। ଏହାକୁ ଭାବି ସେ ତାଙ୍କର ଧର୍ମପତ୍ନୀଙ୍କୁ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ପଠାଇଥିଲେ। ୧୯୮୬ ବେଳକୁ ସଲିଡାରିଟି ଆନ୍ଦୋଳନ ଜୋରଧରିଲା। ଅଧିକରୁ ଅଧିକ ନବ ଯୁବକ ଅଂଶଗ୍ରହଣ କରିଥିଲେ। ଲେଚେଙ୍କର ନେତୃତ୍ୱରେ ପ୍ରତି ପ୍ରଦେଶରେ ବିକଳ୍ପ ସରକାର ଗଠନ କରାଯାଇ ସାମରିକ ଶାସକଙ୍କର ସ୍ବେଚ୍ଛାଚାରିତା ଓ ଅତ୍ୟାଚାରକୁ ଘେରିବା ଆରମ୍ଭ ହୋଇଗଲା। ଶ୍ରମିକ ସଂଗଠନଗୁଡିକ ଦୃଢତାର ସହିତ ଆନ୍ଦୋଳନରେ ବାଗ ନେଇଚାଲିଲେ।

ପରିଶେଷରେ ସରକାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ସୁତ୍ର ଆଣିବାକୁ ନିଜ ତରଫରୁ ପ୍ରସ୍ତାବ ଦେଲେ। ଆଲୋଚନା ୧୯୮୯ ଫେବୃଆରୀ ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହି ମଧ୍ୟରେ ସେ ସମଗ୍ର ପୋଲାଣ୍ଡ ଭ୍ରମଣ କରି ଆଲୋଚନାର ଆବଶ୍ୟକତା ଓ ଭବିଷ୍ୟତ ଶାସନ ପ୍ରଣାଳୀ ସଂପର୍କରେ ଲୋକମାନଙ୍କୁ ବୁଝାଇଥିଲେ। ୧୯୮୯ ରେ ସଂସଦର ଗଣତାନ୍ତ୍ରିକ ନିର୍ବାଚନ ହୋଇଥିଲା। ସେ ତାଙ୍କର ନିର୍ବାଚନ ସ୍ଲୋଗାନ ରଖିଥିଲେ ଆମେ କରିବାକୁ ଇଛା ନଥିଲେ ମଧ୍ୟ ଆମକୁ ସମ୍ପାଦନ କରିବାକୁ ହେବ। ୧୯୯୦ରେ ସେ ପୋଲାଣ୍ଡର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ପଦ ଯିବା ପରେ ସେ ସମଗ୍ର ବିଶ୍ୱରେ ଗଣତନ୍ତ୍ରକୁ ସୁଦୃଢ ରଖିବାକୁ ପ୍ରଚାର କାର୍ଯ୍ୟ କରିଚାଲିଛନ୍ତି। ତାଙ୍କର ଅହିଂସା, ସତ୍ୟ, ସତ୍ୟାଗ୍ରହ ପ୍ରତି ନିଷ୍ଠା, ସରଳ ଶ୍ରମଯୁକ୍ତ ଜୀବନଶୈଳୀ ତାଙ୍କର ଗଣତନ୍ତ୍ର ସପକ୍ଷରେ ଆଜୀବନ ବିପ୍ଳବୀ ମାନସିକତା ପାଇଁ ପୋଲାଣ୍ଡର ଗାନ୍ଧୀ ଭାବରେ ତାଙ୍କ ଦେଶରେ ସେ ସମ୍ବୋଧିତ।
ମିହିର ପ୍ରତାପ ଦାସ
୯୯୩୭୮୬୩୫୨୮
