ପୁରୀ: ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬ ମେ ମାସ ୩୧ ତାରିଖ ଯାଏଁ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।
ସୂଚନା ଅନୁଯାୟୀ, ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। କାରଣ ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପସାଗରକୁ ଆସି ସମାଗମ କରିଥାନ୍ତି। ଏଣୁ ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗା ମାଡରେ ଯେଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ନ ହୁଏ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀର ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ଯାଏ ନିଷିଦ୍ଧାଞ୍ଚଳ ଘୋଷିତ ହେବ । ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଚଳାଚଳ ଅନୁମତି ନ ଥାଏ । ସମୁଦ୍ର କୂଳରୁ ୨୦ କିଲୋମିଟର ସମୁଦ୍ର ଭିତରରେ ଟ୍ରଲର ଚାଳଚଳ ସଂପୂଣ୍ଣ ନିଷିଦ୍ଧ ଥାଏ। ହେଲେ ଏହାକୁ କେତେକ ଟ୍ରଲର ଚାଳକ ଉଲଘଂନ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରୁଥିବାରୁ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇ ଆସୁଛି।
ଚଳିତ ବର୍ଷ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁକୁ ରୋକାଯାଇପାରିବ ସେନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ୍ ପୁଲିସ୍ , ସାଗର ମିତ୍ରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କିଭଳି ସାମୁଦ୍ରିକ ପେଟ୍ରୋଲିଂ ଠିକଣା ଭାବେ ହୋଇପାରିବ, ବେଆଇନ ଟ୍ରଲର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଏବଂ କଇଁଛଙ୍କ ଅଣ୍ଡାକୁ କିଭଳି ସୁରକ୍ଷିତ ରଖିହେବ ସେ ନେଇ ଆଲୋଚନା ହୋଇଛି।
ନଭେମ୍ବର ୧ରୁ ପୁରୀରେ ମାଛଧରା କଟକଣା
