ସୁମିତ୍ରା ଚୌଧୁରୀ ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନରେ ଏକ ସୁପରିଚିତ ନାଆଁ। ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣନଗରରେ ବିଏସସି ଶେଷ ବର୍ଷର ଛାତ୍ରୀ ଥିବା ବେଳେ କଲେଜ ଛାତରୁ ୟୁନିଅନ ଜ୍ୟାକ ହଟାଇ ତ୍ରିରଙ୍ଗା ଉଡ଼ାଇବାକୁ ଯେଉଁ ଆନ୍ଦୋଳନ ତାଙ୍କ ବଡ଼ ଭଉଣୀଙ୍କ ନେତୃତ୍ୱରେ ହୋଇଥିଲା, ସେଥିରେ ସେ ବି ଥିଲେ ସାମିଲ। ଆଉ ଭଉଣୀ ଏହି ଦୋଷରେ କଲେଜରୁ ବିତାଡିତ ହେଲେ। ଏଥି ସହ ସୁମିତ୍ରାଙ୍କ ବିଜ୍ଞାନ ପାଠରେ ବି ଡୋରି ବନ୍ଧା ହେଲା। ବାପା ବି କ’ଣ କମ କି ? ବାପା ଫଣୀ ଭୂଷଣ ବାନାର୍ଜୀ ପରା ସୁଭାଷ ବୋଷଙ୍କ ସହପାଠୀ ଥାଇ ବ୍ରିଟିଶ ପ୍ରିନ୍ସିପାଲ ବିରୋଧୀ ଆନ୍ଦୋଳନର ନେତା ଥିଲେ। ଆଉ ଝିଅମାନେ ବଳେଇ ଯାଆନ୍ତେ କିପରି ?
ଗାନ୍ଧୀ ମହାତ୍ମା ଡାକରା ଦେଇଥାନ୍ତି ଭାରତୀୟ ପିଲାଏ ବ୍ରିଟିଶ ସ୍କୁଲ କଲେଜ ଛାଡି ଦିଅନ୍ତୁ। ଆଉ ସୁମିତ୍ରା ବାପୁଙ୍କ ଦ୍ଵାରା ତାଙ୍କ ଆଶ୍ରମ ସେବାଗ୍ରାମ ଠାରେ ଖୋଲାଯାଇଥିବା ନୈତାଲିମ ବିଦ୍ୟାଳୟରେ ନାମ ଲେଖାଇ ସେଠାରେ ଶିକ୍ଷା ଲାଭ କରିଥିଲେ। ଏହି ସମୟରେ ଓଡ଼ିଶାରୁ ନବକୃଷ୍ଣ ଚୌଧୁରୀ ମାଳତୀ ଦେବୀଙ୍କ କନ୍ୟା ଉତ୍ତରା ସେଠାରେ ଅଧ୍ୟୟନ କରୁଥାନ୍ତି। ଉତ୍ତରା ବି ସ୍କୁଲ ବ୍ୟାଗ୍ ଭିତରେ ସ୍ଵାଧୀନତା ସଂଗ୍ରାମର ଚିଠି ନେବା ଆଣିବା କରିବା ବେଳେ ଧରାପଡ଼ି ଜେଲ ଯାଇ ସେଠାରୁ ଫେରି ସେବାଗ୍ରାମରେ ପହଞ୍ଚିଥାନ୍ତି।
ସୁମିତ୍ରାଙ୍କୁ ଦେଖିବା ପରେ ଉତ୍ତରାଙ୍କ ମନରେ ଲଡୁ ଫୁଟିବାକୁ ଲାଗିଲା। ଏହି ଅପୂର୍ବ ସୁନ୍ଦରୀ ଝିଅ ମୋର ଭାଉଜ ହୁଅନ୍ତା ନି ? ଚାଲିଲା ଯୋଜନା। ଆଉ ସତକୁ ସୁମିତ୍ରା ବାନାର୍ଜୀ ଓଡ଼ିଶାର ପ୍ରଥୀତଯଶା ଚୌଧୁରୀ ପରିବାରର ସନ୍ତାନ ବିଶିଷ୍ଟ ବିପ୍ଳବୀ ମନମୋହନ ଚୌଧୁରୀଙ୍କ ଧର୍ମପତ୍ନୀ ହେଲେ ଅର୍ଥାତ୍ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଓ ମାଆ ରମାଦେବୀଙ୍କ ପୁତ୍ରବଧୂ। ବିବାହ ଗାନ୍ଧୀ ଆଶ୍ରମ ସେବାଗ୍ରାମରେ। ବିବାହ ତ ହେଲା। ହେଲେ ଗାନ୍ଧିଜୀ ସ୍ଵୟଂ ସେଠାରେ ଉପସ୍ଥିତ ଥାଇ ବି ବିବାହ ଉତ୍ସବରେ ଯୋଗଦେଲେ ନାହିଁ। ଉଁଟ ପାନି କେ ପାସ ପହୁଞ୍ଚେ ୟା ପାନି ଉଁଟ କେ ପାସ। ଏକା କଥା। ସନ୍ଧ୍ୟାରେ ନବଦମ୍ପତ୍ତି ବାପୁଙ୍କ କୁଟିଆରେ ତାଙ୍କୁ ସାକ୍ଷାତ କଲେ। ବାପୁ କହିଲେ “ତୁମେ ଜାଣ ଯେଉଁ ବିବାହରେ ଜଣେ ଅସବର୍ଣ୍ଣ ନ ହୁଅନ୍ତି, ମୁଁ ସେହି ବିବାହରେ ଯୋଗଦିଏ ନାହିଁ। ହେଲେ ତୁମ ବିବାହରେ ତ ନିଜେ ଗୋପବାବୁ ଥିଲେ। ତେବେ ତୁମକୁ ଆଶୀର୍ବାଦ କରୁଛି ଜୀବନ ବ୍ୟାପୀ ଦେଶ ସେବାରେ ବ୍ରତୀ ରୁହ। “ଗାନ୍ଧୀ ବ୍ରତ ପାଳି ଉଭୟ ପତି ପତ୍ନୀ ଆଜୀବନ ଦେଶ ସେବାକୁ ଆପଣେଇ ନେଇଥିଲେ।
ଓଡ଼ିଶାରେ ପହଞ୍ଚି ବେଶୀ ଦିନ କିନ୍ତୁ ଚୌଧୁରୀ ଉଆସରେ ରହିବାର ସୁଯୋଗ ନଥିଲା ସୁମିତ୍ରାଙ୍କର। ଆଚାର୍ଯ୍ୟ ହରିହରଙ୍କ ସହ ଶଗଡ଼ ଗାଡ଼ିରେ ସେ ଗଲେ ରାମଚନ୍ଦ୍ରପୁର ବରୀ ଆଶ୍ରମକୁ। ଯେଉଁଠାରେ ଦେଶ ସେବାରେ ନିୟୋଜିତ ଥିଲେ ତାଙ୍କ ଶାଶୁ ଶଶୁର, ନଣନ୍ଦ ଅନ୍ନପୂର୍ଣ୍ଣା, ନଣନ୍ଦେଇ ଶରତ ଚନ୍ଦ୍ର ମହାରଣା ଓ ସ୍ଵାମୀ ମନମୋହନ ନିଜକୁ ସମର୍ପି ଦେଇଥିଲେ। ଏହି ଠାରେ ସ୍ଵାଧୀନତା ସଂଗ୍ରାମ, ମୌଳିକ ବିଦ୍ୟାଳୟ ବାଣୀଶ୍ରୀରେ ଶିକ୍ଷକତା କାର୍ଯ୍ୟରେ ନିମଗ୍ନ ରହିଲେ ସେ।
ଦେଶ ସ୍ବାଧୀନ ହେବା ପରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ ହେଉ କି ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ସବୁଥିରେ ସୁମିତ୍ରା ଦେବୀ ନିଜକୁ ନିମଗ୍ନ କରି ରଖିଥିଲେ। କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର ଓଡ଼ିଶା ରାଜ୍ୟ ପ୍ରତିନିଧି ଭାବରେ ଦୀର୍ଘ ବର୍ଷ କାର୍ଯ୍ୟ କଲେ ସେ। ଦେଶରେ ଜରୁରୀ ପରିସ୍ଥିତି ଜାରି ହେବାରୁ ଓ ଶାଶୁ, ସ୍ଵାମୀ, ଦାଦା ଶଶୁର, ଖୁଡୀ ଶାଶୁ ସମସ୍ତ ପରିବାର ଏଥିରେ ସାମିଲ ହେବା ଦେଖି ସେ କସ୍ତୁରବା ଟ୍ରଷ୍ଟରୁ ଇସ୍ତଫା ଦେଇ ଘରକୁ ଫେରିଲେ ଓ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ଅର୍ଥ ଦାୟିତ୍ଵ ନେଲେ।
ନବ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନ ଯାହାକୁ ଜଗତିକରଣ ବିରୋଧୀ ଆନ୍ଦୋଳନ ବୋଲି କୁହାଯାଏ, ତାହାର ବିରୋଧରେ ଉଭୟ ମନମୋହନ ଓ ସୁମିତ୍ରା ଦେଶ ବ୍ୟାପୀ ସଂଗ୍ରାମ ଚଳାଇ ରଖିଥିଲେ।
ମୁଁ ଯେତେବେଳେ ରାଷ୍ଟ୍ରୀୟ ଯୁବା ସଂଗଠନ ମାର୍ଗ ଦେଇ ସର୍ବୋଦୟ ଆନ୍ଦୋଳନରେ କାର୍ଯ୍ୟ କଲି, ମୋତେ ପ୍ରେରିତ କରିଥିବା ମଣିଷଙ୍କ ମଧ୍ୟରେ ସେ ଥିଲେ ସର୍ବାଗ୍ରେ। ଏପରିକି ପୋସ୍କୋ ବିରୋଧୀ ଆନ୍ଦୋଳନ କାଳରେ ସେ ନିଜେ ସେଠାକୁ ଯାଇ ଲୋକଙ୍କୁ ଏହି କମ୍ପାନୀ ବିରୋଧରେ ପ୍ରେରିତ କରିଥିଲେ। କଟକ ପୁରୀଘାଟ ଠାରେ ମଦ ବିରୋଧୀ ଆନ୍ଦୋଳନ ସମୟରେ ଆମେ ଯେତେବେଳେ ଉଭୟ ବିଜେଡି ଓ କଂଗ୍ରେସ ଗୁଣ୍ଡାମାନଙ୍କ ଦ୍ଵାରା ଆକ୍ରମଣର ଶିକାର ହେଲୁ, ସେତେବେଳେ ଦୃଢ଼ମନା ଭାବରେ ଅଟଳ ଭାବରେ ଛିଡ଼ାହୋଇ ରହିଥିଲେ। ପୋସ୍କୋ ପ୍ରସ୍ତାବିତ ଅଞ୍ଚଳରୁ ପୋଲିସ ପ୍ରତ୍ୟାହାର ଦାବୀରେ ଯେତେବେଳେ ମୁଁ ୧୩ ଦିନ ଉପବାସ କଲି, ମୋର ଉପବାସ ଭାଙ୍ଗିବାକୁ ଅନ୍ନପୂର୍ଣ୍ଣା ମହାରଣା, ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କୁ ନେଇ ସେ ଜଗତସିଂହପୁର ଯାଇଥିଲେ। ଏପରିକି ଅନିମା ସହ ବିବାହ ପାଇଁ ଯେତେବେଳେ ମୋର ପିତା ମାତା ରାଜି ହେଉନଥିଲେ, ସେତେବେଳେ ସେମାନଙ୍କୁ ରାଜି କରାଇବା ସହ ନିଜେ ବିବାହର ସମସ୍ତ ଆୟୋଜନ କରିଥିଲେ।
ଆଜକୁ ଠିକ୍ ଆଠ ବର୍ଷ ତଳେ ସୁମିତ୍ରା ମାଆ ଆମକୁ ଛାଡି ଚାଲିଯାଇଥିଲେ। ତେବେ, ସାରା ଜୀବନ ମୁଁ ତାଙ୍କର ମୋ ପ୍ରତି ଶ୍ରଦ୍ଧା ଓ ଭଲ ପାଇବାକୁ ଭୁଲି ପାରିବି ନାହିଁ।
ବିପ୍ଳବିଣୀ ସୁମିତ୍ରା ଚୌଧୁରୀ ଅମର ରହେ।
ଡଃ ବିଶ୍ଵଜିତ୍
ଉତ୍କଳ ଗାନ୍ଧୀ ସ୍ମାରକ ନିଧି
