ନୂଆଦିଲ୍ଲୀ : ୨୫ପ୍ରତିଶତ ଟାରିଫ୍ ସାଙ୍ଗକୁ ଋଷଠାରୁ ତେଲ ଓ ହତିଆର କିଣିବା ପାଇଁ ଭାରତ ଉପରେ ଜରିମାନା ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ତେଲ ଭଣ୍ଡାର ନେଇ ପାକିସ୍ତାନ ସହ ଗୁରୁତ୍ବପୂର୍ଣ୍ଣ ଡିଲ କହି ଚର୍ଚ୍ଚା।ରେ ରହିଛନ୍ତି ଟ୍ରମ୍ପ। ପୂର୍ବ ବାଇଡେନ୍ ପ୍ରଶାସନ ବେଳେ ଆମେରିକା ଦକ୍ଷିଣ ଏସିଆରେ ଭାରତକୁ ପ୍ରମୁଖ ସହଯୋଗୀ ଭାବେ ପ୍ରାଥମିକତା ଦେଉଥିଲା । ହେଲେ ଏବେ ଟ୍ରମ୍ପ ଏଥିରେ ପରିବର୍ତ୍ତନ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଟ୍ରମ୍ପଙ୍କ ପରିବର୍ତ୍ତନ ପଛର କାରଣ କ’ଣ?
ଚୀନର ପ୍ରଭାବ କମ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି କି ଟ୍ରମ୍ପ ! କେବଳ ପାକିସ୍ତାନ ନୁହେଁ ଟ୍ରମ୍ପ ମିଆଁମାର ଉପରେ ବି ନରମ ହେଉଛନ୍ତି । ମିଆଁମାରକୁ ନେଇ ଆମେରିକା ନୀତିରେ ପରିବର୍ତ୍ତନ କରିପାରନ୍ତି ଟ୍ରମ୍ପ । ମିଆଁମାର ପାଖରେ ବିଶ୍ବର ଦୁର୍ଲଭ ଧାତୁର ସବୁଠୁ ସମୃଦ୍ଧ ଭଣ୍ଡାର ଥିବା ବେଳେ ଦେଶର ବିଦ୍ରୋହୀ ଗୋଷ୍ଠୀ ସହ ବୁଝାମଣା କରିପାରେ ଆମେରିକା । ଏ ଭିତରେ ମିଆଁମାରର ସାମରିକ ସରକାର ସହ ସଂପୃକ୍ତ ୪ଜଣ ବ୍ୟକ୍ତିବିଶେଷ ଓ ୩ଟି କମ୍ପାନୀ ଉପରେ ପ୍ରତିବନ୍ଧକ ହଟାଇଛି । ଏଥିରୁ ମିଆଁମାରକୁ ନେଇ ଆମେରିକା ନୀତିରେ ପରିବର୍ତ୍ତନ ନେଇ ସଙ୍କେତ ମିଳୁଛି । ପାକିସ୍ତାନ ସହ ତେଲ ଭଣ୍ଡାର ଡିଲ୍ ହେଉ କି ମିଆଁମାରର ସାମରିକ ଶାସନ ପ୍ରତି ନରମ ମନୋବୃତ୍ତି । ଦକ୍ଷିଣ ଏସିଆରେ ଧୀରେ ଧୀରେ ଚୀନର ପ୍ରଭାବ ବଢିବାରେ ଲାଗିଥିବା ବେଳେ ଏହାକୁ କାଉଣ୍ଟର କରିବାକୁ ଆମେରିକା ନିଜ ନୀତିରେ ବଡ଼ ପରିବର୍ତ୍ତନ କରୁଥିବା ଚର୍ଚ୍ଚା ହେଉଛି ।