କିଡ଼ନୀ ଜନିତ ରୋଗୀ ଓ କିଡ଼ନୀ ପ୍ରତିରୋପଣ ହୋଇଥିବା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଚରମ ଅବହେଳା ରୋଗୀଙ୍କ ମରଣଜନ୍ତା ସୃଷ୍ଟି କରିଛି

ଭୁବନେଶ୍ୱର (୧୪/୫) : ଓଡ଼ିଶାରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ମାନଙ୍କ ମଧ୍ୟରୁ କେବଳ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ କିଡ଼ନୀ ଜନିତ ରୋଗ ଓ କିଡ଼ନୀ ପ୍ରତିରୋପଣ, ଅସ୍ତ୍ରୋପଚାର ବିଭାଗ ଥିବା ବେଳେ ଏହା ସମଗ୍ର ରାଜ୍ୟର କିଡ଼ନୀ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆସିବାକୁ ଏକ ମାତ୍ର ଭରଷାଯୋଗ୍ୟ ହସ୍ପିଟାଲ । ଗତ ୨୦୧୨ ମସିହାରେ କିଡ଼ନୀ ଜନିତ ରୋଗ ଚିହ୍ନଟ ପାଇଁ ୩୬୦୦୦ ରୋଗୀଙ୍କ ସର୍ବେକ୍ଷଣ ଦ୍ଵାରା ୧୫୦୦ ରୋଗୀ ଚିହ୍ନଟ କରାଯାଇଥିଲା ଓ ୧୫୦୦ ଯାକ ରୋଗୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ସୁବିଧା ନେଇପାରିଥିଲେ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ତିନିଜଣ ପ୍ରଫେସର, ଜଣେ ଆସୋସିଏଟ ପ୍ରଫେସର ଓ ତିନିଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଅନୁମୋଦିତ ଥିବା ବେଳେ କ୍ରମାଗତ ଭାବେ ଏ ସମସ୍ତ ପଦବୀରେ ପ୍ରଫେସରଙ୍କ ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ ଜଣେ ଜଣେ ଆସୋସିଏଟ ପ୍ରଫେସର ଓ ଜଣେ କଣ୍ଟ୍ରାଚ୍ୟୁଆଲ ପ୍ରଫେସରଙ୍କୁ ନେଇ ସପ୍ତାହରେ ୫ଟି ଓପିଡ଼ି, ଟ୍ରାନ୍ସପ୍ଲାଣ୍ଟ ଓ ଇଣ୍ଡୋର ରୋଗୀଙ୍କ ଚିକିତ୍ସା ପରିଚାଳନା କରାଯାଉଥିବାରୁ ରୋଗୀଙ୍କୁ କେବଳ ଯମ ହିଁ ଭରଷା ! ସୂଚନାଯୋଗ୍ୟ ଯେ, ଦାୟିତ୍ୱରେ ଥିବା ଆସୋସିଏଟ ପ୍ରଫେସରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ, ସ୍ୱାସ୍ଥ୍ୟ ସଚିବଙ୍କ ଦ୍ଵାରା ତଦନ୍ତ ନିର୍ଦ୍ଦେଶ ହୋଇଥିବା ବେଳେ ଉକ୍ତ ଆସୋସିଏଟ ପ୍ରଫେସର ଏବଂ ୟୁରୋଲୋଜି ପ୍ରଫେସରଙ୍କ ଭୁଲ ଚିକିତ୍ସା ଓ ବାଧ୍ୟ କରି ଘରୋଇ ହସ୍ପିଟାଲକୁ ପଠାଇବା ଘଟଣାରେ ଲୋକ ଅଦାଲତ ଦ୍ୱାରା ପୀଡିତଙ୍କୁ ୭୯ ଲକ୍ଷ ୨୦ ହଜାର ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଏହା ସର୍ଵଜନ ବିଦିତ ଅଟେ। କିଡ଼ନୀ ରୋଗ ଚିକିତ୍ସା ଦାୟିତ୍ୱ ସରକାର ବହନ କରିଥିବା ବେଳେ ଏଠାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ରୋଗୀମାନଙ୍କୁ ଚିକିତ୍ସା କରି ସୁସ୍ଥ କରିବା ପରିବର୍ତ୍ତେ ନିଷେଧ ଔଷଧ ପ୍ରୟୋଗ କରି ୧୨୫ରୁ ଅଧିକ କିଡ଼ନୀ ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦିଆଯାଇଛି। ଏହି ଘଟଣାରେ ନ୍ୟାସନାଲ ମେଡିକାଲ କମିଶନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଫେସର ଅଭାବ ଦର୍ଶାଇ ଏହାର ଅନୁମୋଦନ ପ୍ରତ୍ୟାହାର ପାଇଁ ତାଗିଦ କରାଯାଇଛି। ସରକାର ଏହି କିଡ଼ନୀ ରୋଗ ଚିକିତ୍ସାକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ହେୟ ଜ୍ଞାନ କରି ମାଙ୍କଡ଼ ହାତରେ ଶାଳାଗ୍ରାମ ଧରାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତି ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀଙ୍କ ବିଶ୍ୱାସ ଓ ଭରଷାକୁ କୁଠାରଘାତ କରି ସରକାର ଏହି ବିଭାଗକୁ ଘରୋଇ ହସ୍ପିଟାଲର ସ୍ୱାର୍ଥ ରକ୍ଷା ପାଇଁ ବନ୍ଦ କରିଦେବାର ଷଡ଼ଯନ୍ତ୍ର କରୁଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ପୃଷ୍ଠଭୂମିରେ ଅବିଳମ୍ବେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର କିଡ଼ନୀ ବିଭାଗରେ ତିନିଜଣ ପ୍ରଫେସର, ଜଣେ ଆସୋସିଏଟ ପ୍ରଫେସର ଓ ତିନିଜଣ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଦେବା ସହ ୨୪ × ୭ ପ୍ରଫେସର ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ବିହିତ ବ୍ୟବସ୍ଥା କରାଇବା, ନିଷେଧ ଔଷଧ ବ୍ୟବହାର ବନ୍ଦ କରିବା, ଭୁଲ ଚିକିତ୍ସା କରି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବଦନାମ କରାଇଥିବା ଆସୋସିଏଟ ପ୍ରଫେସରଙ୍କ ସ୍ଥାନରେ ନୂତନ ଆସୋସିଏଟ ପ୍ରଫେସର ନିଯୁକ୍ତି ଦେବା ଏବଂ ଭୁଲ ଚିକିତ୍ସା ଜନିତ ମୃତ୍ୟୁମୁଖରେ ପଡିଥିବା କିଡ଼ନୀ ପୀଡିତଙ୍କ ପରିବାରବର୍ଗଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ଦେବା ଦାବୀ କରି ଓଡ଼ିଶାର ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଡ଼ିନ ତଥା ଅଧ୍ୟକ୍ଷ, ଶିକ୍ଷା-ସ୍ୱାସ୍ଥ୍ୟ ତାଲିମ ନିର୍ଦ୍ଦେଶକ, କଟକ ଜିଲ୍ଲାପାଳଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରେଜିଷ୍ଟ୍ରି ଡାକ ଯୋଗେ ଅବଗତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଜନସ୍ୱାସ୍ଥ୍ୟ ଅଭିଯାନ ଓ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଜନସ୍ୱାସ୍ଥ୍ୟ ଅଭିଯାନର ରାଜ୍ୟ ଆବାହକ ଗୌରାଙ୍ଗ ମହାପାତ୍ର, କେନ୍ଦ୍ରୀୟ କମିଟି ସଦସ୍ୟ ତଥା ସର୍ବୋଦୟ ନେତା ଡଃ ବିଶ୍ଵଜିତ୍, କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଆସୋସିଏସନ ଅଫ୍ ଓଡିଶାର ସମ୍ପାଦିକା ଜୟଶ୍ରୀ ବେହେରା, ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *