ଲୋକସ୍ୱରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ: ସମ୍ବିଧାନ, ଗଣତନ୍ତ୍ର ଓ ଜାତୀୟ ଏକତାକୁ ରକ୍ଷା କରିବା ହିଁ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଦମ୍ୟ ନେତୃତ୍ୱ ଓ ସତ୍ୟାଗ୍ରହର ପ୍ରେରଣାରେ ବ୍ରିଟିଶ ସାମ୍ରାଜ୍ୟବାଦ ଶୃଙ୍ଖଳରୁ ମୁକ୍ତି ପାଇବା ପାଇଁ ଅସଂଖ୍ୟ ଦେଶଭକ୍ତ ନିଜ ଜୀବନ, ସମ୍ପତ୍ତି, ସ୍ବପ୍ନ ଓ ରକ୍ତ ତ୍ୟାଗ କରିଥିଲେ। ସ୍ୱାଧୀନତା ପରେ ଏକ ନୈତିକ, ନ୍ୟାୟମୟ ଓ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ଡ଼. ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ରଚିତ ସମ୍ବିଧାନକୁ ୨୬ ନଭେମ୍ବର ୧୯୪୯ରେ ଭାରତର ଜନଗଣ ଗୃହୀତ କରି ସ୍ୱାଧୀନ, ସାର୍ବଭୌମ, ଗଣତାନ୍ତ୍ରିକ ଭାରତର ଶପଥ ନେଲେ। ବିବିଧତା ମଧ୍ୟରେ ଏକତା ହିଁ ସମ୍ବିଧାନର ମୂଳ ଆତ୍ମା। କିନ୍ତୁ ଆଜି ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ଘଡ଼ିସନ୍ଧିରେ ଠିଆ ହୋଇଛି। ୨୦୧୪ ପରଠାରୁ କେନ୍ଦ୍ର ଶାସନରେ ଥିବା ସରକାର ସମ୍ବିଧାନର ମୂଲ୍ୟବୋଧକୁ କ୍ରମାଗତ ଭାବେ ଦୁର୍ବଳ, ଦୃଷ୍ଟିହୀନ ଓ ଅସାର କରିବାର ରାଜନୈତିକ ଚେଷ୍ଟା ଚଲାଉଛି। ପୁଞ୍ଜିବାଦୀ ଓ କର୍ପୋରେଟ୍ ଶକ୍ତିଙ୍କ ଶୃଙ୍ଖଳରେ ରାଜନୀତି ନିୟନ୍ତ୍ରିତ ହେବାରୁ ଗଣତନ୍ତ୍ରର ମୂଳ ଆଧାର ଆଜି ଆକ୍ରାନ୍ତ। ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ବିଦ୍ୱେଷ ଓ ଅସମାନତା ଦ୍ରୁତ ଗତିରେ ଆଘାତ କରୁଥିବା ସତ୍ତ୍ୱେ ସରକାର ହାତଗଣତି ପୁଞ୍ଜିପତିମାନଙ୍କ ଲାଭ ପାଇଁ ନୀତିର ପଥ ପରିବର୍ତ୍ତନ କରୁଛନ୍ତି। ଫଳତଃ ଅର୍ଥନୈତିକ ବିଷମତା ନିଜେ ଗଣତନ୍ତ୍ର ପାଇଁ ନୂତନ ବିପଦର ଆଶଙ୍କା ସୃଷ୍ଟି କରୁଛି।ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ, ଡ଼. ରାଜେନ୍ଦ୍ର ପ୍ରସାଦ, ଡ଼. ଆମ୍ବେଦକର ଆଦି ଦେଶନାୟକମାନଙ୍କ ଉଦ୍ୟମରେ ତିଆରି କରିଥିବା ସମ୍ବିଧାନକୁ ନିଷ୍ପ୍ରାଣ କରିବାର ଖୋଲା ଅପଚେଷ୍ଟା ଦେଶର ପ୍ରତ୍ୟେକ ସଚେତନ ନାଗରିକଙ୍କ ପାଇଁ ସତର୍କ ସଙ୍କେତ। ବିବିଧତା ହିଁ ଭାରତର ପରିଚୟ, ଯାହାକୁ କେନ୍ଦ୍ର ସରକାର ଧର୍ମ, ଜାତି, ବର୍ଣ୍ଣ ନାମରେ ଭାରତକୁ ଭାଗ କରିବା ପ୍ରୟାସ ଏହି ମୂଳ ଆଧାରକୁ ଧ୍ଵଂସ କରୁଛି। ଗଣତନ୍ତ୍ରର ନିବନ୍ଧନ ହେଉଛି, ସଂଖ୍ୟାଗରିଷ୍ଠଙ୍କ ଦାୟିତ୍ୱ ହେଉଛି ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରିବା। ଧର୍ମଶାସ୍ତ୍ର ନୁହେଁ, ସମ୍ବିଧାନ ହିଁ ଭାରତର ରାଷ୍ଟ୍ରଧର୍ମ ଓ ଗଣତନ୍ତ୍ରର ରକ୍ଷା କବଚ।ଏପରି ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ ସମ୍ବିଧାନ, ଗଣତନ୍ତ୍ର ଓ ଜାତୀୟ ଏକତାକୁ ରକ୍ଷା କରିବା ହିଁ ଭାରତର ପ୍ରତ୍ୟେକ ନାଗରିକଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି ଲୋହିଆ ଏକାଡ଼େମୀ ଠାରେ ବିଶିଷ୍ଟ ସମାଜବାଦୀ ଜନନେତା, ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଗୌରବମୟ ଅବସରରେ ଲୋକସ୍ୱରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଖିଳ ଭାରତ ମହିଳା ସମିତିର ରାଷ୍ଟ୍ରୀୟ ସମ୍ପାଦିକା ତାପସୀ ପ୍ରହରାଜ ‘ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ନାଗରିକଙ୍କ କର୍ତ୍ତବ୍ୟ’ ଶୀର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ। ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଧନେଶ୍ୱର ସାହୁ, ସମ୍ମାନିତ ଅତିଥି ଭାବେ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ସମ୍ବିଧାନ ଓ ଗଣତାନ୍ତ୍ରିକ ମୁଲ୍ୟବୋଧର ସୁରକ୍ଷା ପାଇଁ ଭାରତବାସୀ ଏକଜୁଟ୍ ହେବାର ସମୟ ଉପନ୍ନିତ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ଦୁଇଜଣ ଶିକ୍ଷା ଅଧିକାର କର୍ମୀ ତଥା ସମ୍ୟକ ସମାନତା ସଙ୍ଗଠନର ସାୟାନ୍ତନ ପଣ୍ଡା ଓ ଲକ୍ଷ୍ମୀକାନ୍ତ ପରିଡ଼ାଙ୍କୁ ଚତୁର୍ଦ୍ଦଶ ଲୋକସ୍ୱର ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଥିଲା। ଲୋକସ୍ଵରର ସଭାପତି ବ୍ରଜ କିଶୋର ପ୍ରଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଦସ୍ୟ ଲକ୍ଷ୍ମୀଧର ରଥ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *