ସରକାରଙ୍କୁ ନବୀନଙ୍କ ପ୍ରଶ୍ନ : ମହାନଦୀ ‘ଆପୋଷ ସଂଜ୍ଞା ସ୍ପଷ୍ଟ କରନ୍ତୁ ସରକାର

ମହାନଦୀ ଜଳ ବିବାଦକୁ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ସମ୍ମୁଖରେ ଏକାଧିକ ଗୁରୁତର ପ୍ରଶ୍ନ ଉପସ୍ଥାପନ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦକୁ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରିବା ନେଇ ଗୁରୁତ୍ଵାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ ଆୟୋଗରେ ଏହି ସମସ୍ୟାର ସମାଧାନ ଧୀମା ଗତିରେ ଆଗେଇଥିବାରୁ, କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଜରିଆରେ ଏହାକୁ ସମାଧାନ କରାଯାଇପାରିବ। କିନ୍ତୁ ଏହି ଘୋଷଣା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସରକାରଙ୍କ ଉଦ୍ଦେଶ୍ୟ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିବା ପାରସ୍ପରିକ ବୁଝାମଣା କଣ ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଓଡ଼ିଶା କ’ଣ ଆଇନଗତ ଲଢେଇରୁ ଓହରିଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି କି ବୋଲି ସେ ପ୍ରଶ୍ନ କରିବା ସହ ଏହା ଦ୍ଵାରା ଓଡ଼ିଶାର ହକ୍ ପ୍ରଭାବିତ ହେବା ନେଇ ସେ ଆଶଙ୍କ ପ୍ରକଟ କରିଛନ୍ତି। ସରକାର କ’ଣ ଟ୍ରିବ୍ୟୁନାଲରେ ମାମଲା ଜାରି ରଖିବ ନା ଏହାକୁ ପରିତ୍ୟାଗ କରିବାକୁ ପ୍ରସ୍ତୁତ ହେଉଛନ୍ତି ? ସେ ଆହୁରି କହିଛନ୍ତି ଯେ, ବିଜେପି ଶାସିତ ଓଡ଼ିଶା ଓ ଛତିଶଗଡ଼ ସରକାର ମଧ୍ୟରେ ଗୁପ୍ତ ଆଲୋଚନା ଚାଲିଥାଇପାରେ, ଯାହା ଓଡ଼ିଶାର ଜଳ ଅଧିକାରକୁ ଦୁର୍ବଳ କରିପାରେ। ସେ ଦାବୀ କରିଛନ୍ତି ଯେ, ସରକାର ଏହି ଆଲୋଚନା ସମ୍ପର୍କରେ ରାଜନୈତିକ ଦଳ, ହିତାଧିକାରୀ ଓ ଜନସାଧାରଣଙ୍କୁ ବିଶ୍ୱାସକୁ ନେଇନାହାନ୍ତି। ଏଥିପାଇଁ ସରକାର ସର୍ବଦଳୀୟ ବୈଠକ କରି ସ୍ପଷ୍ଟ କରନ୍ତୁ ବୋଲି ନବୀନ କହିଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇ ନବୀନ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ଓଡ଼ିଶାର ଆତ୍ମା। ସରକାର କେଉଁ ପ୍ରକାରର ଆପୋସ ବୁଝାମଣା ବିଷୟରେ ଆଲୋଚନା କରୁଛନ୍ତି ଏବଂ ଏହା କ’ଣ ଓଡ଼ିଶାର ଜଳ ଅଧିକାରକୁ ଦୁର୍ବଳ କରିବ ? ଆସନ୍ତା ଅଗଷ୍ଟ ୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ପାଇଁ ୮ ଦିନ ବାକି ଥିବାବେଳେ, ସରକାର ଚୁପ୍ କଣ ପାଇଁ ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୧୬ ମସିହାରେ ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ଅଭିଯୋଗ ଦାଖଲ କରିଥିଲେ। ୨୦୧୮ ମସିହା ଜାନୁଆରୀ ୨୩ ତାରିଖରେ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମହାନଦୀ ଜଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ୨୦୧୮ ମସିହା ମାର୍ଚ୍ଚ ୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଓଡ଼ିଶାର ଅଭିଯୋଗ ଥିଲା ଯେ, ଛତିଶଗଡ଼ ମହାନଦୀର ଉପରେ ନିର୍ମାଣ କରୁଥିବା ବ୍ୟାରେଜ ଓ ଡ୍ୟାମ ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ହ୍ରାସ ପାଉଛି, ଯାହା ଓଡ଼ିଶାର କୃଷି ଓ ଜଳବିଦ୍ୟୁତ ଉପରେ ଗୁରୁତର ପ୍ରଭାବ ପକାଉଛି।
ଏକ୍ସ ହ୍ୟାଣ୍ଡେଲରେ ଓଡ଼ିଶାର ଆଡ଼୍‌ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, “ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ନେଇ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଥିଲି। ଟ୍ରିବ୍ୟୁନାଲର ଶେଷ ଶୁଣାଣିରେ ନିର୍ଦ୍ଦେଶ ଅନୁଯାୟୀ, ଉଭୟ ରାଜ୍ୟ ମଧ୍ୟରେ ଆପୋସ ସମାଧାନର ସମ୍ଭାବନା ଅନୁସନ୍ଧାନ କରାଯାଉଛି ।”

Leave a Reply

Your email address will not be published. Required fields are marked *