ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଦୁଷ୍କର୍ମ ଧମକ ଦେବା ଅଭିଯୋଗରେ ପ୍ରତିକ୍ରିୟା ରଖିଛି ମହିନ୍ଦ୍ରା ଗ୍ରୁପ୍। କମ୍ପାନୀ ପକ୍ଷରୁ ଏହି ଘଟଣାକୁ “ମର୍ଯ୍ୟାଦାହୀନ ଏବଂ ଅତ୍ୟନ୍ତ ଅନୁପଯୁକ୍ତ” କହିବା ସହ ନିନ୍ଦା କରାଯାଇଛି।
ଏନେଇ ସାଂସଦ ଶ୍ରୀମତୀ ଦେଓ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ସଂସଦର ଚଳିତ ମୌସୁମୀ ଅଧିବେଶନ ସମୟରେ ଏହି ମାମଲା ଉଠାଇବେ। ସେ କମ୍ପାନୀର ପ୍ରତିକ୍ରିୟା ନେଇ କହିଛନ୍ତି ଯେ କମ୍ପାନୀ ତଦନ୍ତ ଆରମ୍ଭ କରି “ଆଶ୍ୱାସନା” ଦେଇଛି। “ମୁଁ ଚୁପ୍ ରହିବି ନାହିଁ।ମହିଳା ଏବଂ ଶିଶୁମାନଙ୍କ ପ୍ରତି ଏହି ପ୍ରକାରର ମାନସିକତା ବିରୁଦ୍ଧରେ ସମ୍ପୂର୍ଣ୍ଣ ଲଢ଼ିବି।
ଏକ୍ସର ଏକ ପୋଷ୍ଟରେ କମ୍ପାନୀ କହିଛି ଯେ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନିଆଯାଇଛି ଏବଂ ଏହାର ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି। “ଆମ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଫେସବୁକରେ ରାଜନେତାଙ୍କ ପ୍ରତି କରିଥିବା ପୋଷ୍ଟ ନେଇ ଆମେ ଅବଗତ ହୋଇଛୁ। ମହିନ୍ଦ୍ରା ଗ୍ରୁପ୍ ସର୍ବଦା ମାନବିକ ମର୍ଯ୍ୟାଦା ଉପରେ ଗୁରୁତ୍ଵାରୋପ କରିଥାଏ ଏବଂ ନୀତିର କୌଣସି ଉଲ୍ଲଂଘନକୁ ସହ୍ୟ କରେ ନାହିଁ।
ଚଳିତ ମାସ ଆରମ୍ଭରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବଳଙ୍ଗା ପୀଡ଼ିତାଙ୍କ ଭାଇରାଲ ହୋଇଥିବା ଭିଡିଓଗ୍ରାଫ୍ ବୟାନ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ଦାବି କରି କମ୍ପାନୀର ଜଣେ କର୍ମଚାରୀ ବିଜେଡି ସାଂସଦ ସୁଲତା ଦେଓଙ୍କୁ ଫେସବୁକ୍ ପୋଷ୍ଟରେ “ଦୁଷ୍କର୍ମ ଏବଂ ହତ୍ୟା” କରିବାକୁ ଧମକ ଦେଇଥିଲେ।
