ବିକ୍ରମଙ୍କୁ ନ୍ୟାୟ ଓ ବିଚାରବିଭାଗୀୟ ତଦନ୍ତ ଦାବିରେ ବିଜେଡ଼ିର ପ୍ରତିବାଦ ସଭା

ବ୍ରହ୍ମପୁର: ରାଜ୍ୟରେ ଶାସକ ଦଳର ହାତବାରିସି ସାଜି ଦଳୀୟ ନେତାଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛି ପୁଲିସ। ନୂଆପଡ଼ା ଉପ-ନିର୍ବାଚନରେ ବିଜେଡି ପ୍ରତି ମିଳୁଥିବା ଜନସମର୍ଥନରେ ଅସଭ୍ୟ ହୋଇ ବିକ୍ରମ ପଣ୍ଡାଙ୍କ ଭଳି ଜଣେ ଉଦୀୟମାନ ନେତାଙ୍କୁ ଗିରଫ କରାଯାଇଛି। ବିଜେଡିକୁ ବଦନାମ କରିବା ଓ ବିକ୍ରମଙ୍କ ରାଜନୈତିକ କ୍ୟାରିଅରକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଶାସକ ବିଜେପି ପୁଲିସର ଏମିତି ଅପବ୍ୟବହାର କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁରଠାରେ ଆଜି ଆୟୋଜିତ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଓ ପ୍ରତିବାଦ ସଭାରେ ଏମିତି ସଂଗିନ୍ ଅଭିଯୋଗ ଆଣି ରାଜ୍ୟ ବିଜେପି ସରକାର ଉପରେ ଭୀଷଣ ଗର୍ଜିଛି ବିଜେଡି I ବିକ୍ରମ ପଣ୍ଡାଙ୍କୁ ନ୍ୟାୟ ପ୍ରଦାନ ଓ ହାଇକୋର୍ଟର ଜଣେ ବିଚାରପତିଙ୍କ ଜରିଆରେ ଏହାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ବିଜେଡି ଦାବି କରିଛି।
ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ରାଜ୍ୟ ଉପ-ସଭାପତି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ବରେ ଆୟୋଜିତ ଶୋଭାଯାତ୍ରା ସ୍ଥାନୀୟ ହିଲପାଟଣାସ୍ଥିତ ସଂସ୍କୃତିଭବନ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧିନଗର ଛକଠାରେ ପହଞ୍ଚିଥିଲା । ପରେ ସେଠାରେ ବିଜେଡିର ମୁଖପାତ୍ର ତୁମ୍ବନାଥ ପଣ୍ଡାଙ୍କ ସଂଯୋଜନାରେ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ସାମିଲ ସହସ୍ରାଧିକ ଦଳୀୟ ନେତା ଓ କର୍ମୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଥିଲେ। ସଭାରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ସିଧାସଳଖ ପୁଲିସର ତଦନ୍ତ ଓ ଜେରାକୁ ଟାର୍ଗେଟ୍ କରିଥିଲେ I ତଦନ୍ତ ନିରପେକ୍ଷ ନୁହେଁ, ବରଂ ଶାସକ ବିଜେପି ଦଳ ଦ୍ଵାରା ରଚିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ। ମନ୍ତ୍ରୀଙ୍କୁ ଖସାଇବାକୁ ଯାଇ ବିଜେଡି ନେତାଙ୍କୁ ଫସାଇ ଦିଆଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ, ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରତି ମିଳୁଥିବା ଜନସମର୍ଥନରେ ବିଜେପି ଅସଭ୍ୟ ହୋଇ ବିଜେଡି ଉପରେ ଏଭଳି ଦାଉ ସାଧୂଛି। ରାଜ୍ୟ ବିଜୁ ଛାତ୍ର ସଭାନେତ୍ରୀ ଇପସିତା ସାହୁ କହିଥିଲେ, ନବୀନ ବାବୁ ଗଞ୍ଜାମ ଜିଲ୍ଲାକୁ ଫରୁଆ ଭିତରେ ସଜେଇ ରଖିଥିଲେ । ମାତ୍ର, ୧୬ ମାସର ସରକାରରେ ବିଜେପି ଗଞ୍ଜାମ ଜିଲ୍ଲାରେ ଅସ୍ଥିରତା ସୃଷ୍ଟି କରିସାରିଛି। ସେହିପରି ବିଧାୟକ ଗଣେଶ୍ଵର ବେହେରା କହିଥିଲେ, ବିଜେପିର ଜଣେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଡମ୍ବୁରୁ ରେଡ୍ଡୀଙ୍କ ଅଭିଯୋଗକୁ ଆଧାର କରି କୌଣସି ତଦନ୍ତ କରାଗଲା ନାହିଁ। ପୁଲିସ ଚାପମୁକ୍ତ ହୋଇ ତଦନ୍ତ ନକରି ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରୁଛି।
ଏହି ପ୍ରତିବାଦ ସଭାରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ପୂର୍ବତନ ବିଧାୟକ ତା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡା. ରାଜଶ୍ରୀ ମଲ୍ଲିକ, ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ବିଧାୟକ ସୁନୀଲ ମହାନ୍ତି, ବିଧାୟକ ସାରଦା ଜେନା, ବିଧାୟକ ପ୍ରଦୀପ ସାହୁ, ବିଜେଡିର ବରିଷ୍ଠ ପ୍ରବକ୍ତା ଲେନିନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ସାଂସଦ ପ୍ରମିଳା ବିଶୋୟୀ, ସାଂସଦ ପ୍ରାର୍ଥିନୀ ରଂଜିତା ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ପୂର୍ବତନ ବିଧାୟକ ସୁବାସ ବେହେରା, ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର, ଡେପୁଟି ମେୟର ଇ. ବିବେକ ରେଡ଼ୀ, ଅଜୟ ମହାରଣା, ପୂର୍ବତନ ବିଡିଏ ଉପାଧ୍ୟକ୍ଷ କୈଳାଶ ରଣାଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା ବିଜେଡି ନେତା ଓ କର୍ମୀଙ୍କ ସହିତ ବହୁ କର୍ପୋରେଟର୍ ଓ ଏନଏସି ଏବଂ ପୌରପାଳିକାର ନିର୍ବାଚିତ ଜନପ୍ରତିନିଧିମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *