ଭୁବନେଶ୍ୱର : ବିଶିଷ୍ଟ ସମାଜବାଦୀ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ରାଜ୍ୟ ସମିତି, ରବି ରାୟ ସ୍ମୃତି କମିଟି ଓ ଲୋହିଆ ଏକାଡ଼େମୀ ଆନୁକୁଲ୍ୟରେ ଏକାଡ଼େମୀ ସଭାଗୃହରେ ‘ଭାରତରେ ଗଣତନ୍ତ୍ରର ଭବିଷ୍ୟତ’ ଶୀର୍ଷକ ଏକ ଦୁଇ ଦିନିଆ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଆନନ୍ଦ କୁମାର ଉଦ୍ଘାଟନ କରି କହିଥିଲେ ଯେ, ରବି ରାୟଙ୍କ ଲୋକସଭା ବାଚସ୍ପତି ଭାବରେ କାର୍ଯ୍ୟକାଳ ଦେଶର ଗଣତାନ୍ତ୍ରିକ ଇତିହାସର ସୁବର୍ଣ୍ଣ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ କହିଥିଲେ ଯେ, ରବି ରାୟ ସଂସଦୀୟ ଗଣତନ୍ତ୍ରର ଗାରିମାକୁ ବହୁଗୁଣିତ କରିଥିଲେ। ଦଳମତ ନିର୍ବିଶେଷରେ ପ୍ରତ୍ୟେକ ପ୍ରତିନିଧିଙ୍କୁ ନିରପେକ୍ଷତା ସହ ସାଧାରଣ ଲୋକଙ୍କ ସମସ୍ୟା ସଂସଦରେ ଉଠାଇବାକୁ ସୁଯୋଗ ଦେବା ପାଇଁ ରବି ରାୟ ଜିରୋ ଆୱାର ଆରମ୍ଭ କରିଥିଲେ। ପ୍ରଫେସର କୁମାର ଦୃଢ଼ତାର ସହ କହିଥିଲେ ଯେ, ସାଂସଦ ଜୀବନରେ ସାଧୁତା ଓ ସଚ୍ଚୋଟତା ଦ୍ୱାରା ଚିହ୍ନିତ ରବି ରାୟଙ୍କ ଜୀବନ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ପ୍ରେରଣା ଯୋଗାଉଛି। ବର୍ତ୍ତମାନର ସ୍ଥିତି ଆଧାରରେ ପ୍ରଫେସର କୁମାର କହିଥିଲେ ଯେ, “ଆଜି, କର୍ପୋରେଟ୍ ଧନତନ୍ତ୍ର ଏବଂ ଧାର୍ମିକ ଘୃଣା ରାଜନୀତି ଗଣତନ୍ତ୍ରର ମୂଳ ସ୍ତମ୍ଭ ତଥା ସମ୍ବିଧାନରେ ନିହିତ ମୂଲ୍ୟବୋଧଗୁଡ଼ିକୁ ସକ୍ରିୟ ଭାବରେ ନଷ୍ଟ କରୁଛି।”
ରବି ରାୟ ଜନ୍ମ ଶତବାର୍ଷିକୀ ରାଜ୍ୟ ସମିତି, ରବି ରାୟ ସ୍ମୃତି କମିଟି ଓ ଲୋହିଆ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ରାଷ୍ଟ୍ରୀୟ ଆଲୋଚନା ଚକ୍ରର ଉଦଘାଟନୀ ଉତ୍ସବରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତବାର୍ଷିକୀ ସମିତିର ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ କ୍ରିଷ୍ଣା ମହାନ୍ତି, ପରାମର୍ଶଦାତା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାରେ ଶତବାର୍ଷିକୀ ସମିତିର ରାଜ୍ୟ ସମ୍ପାଦକ ଡାକ୍ତର ବିଶ୍ୱଜିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ “ରବି ରାୟ” ଲୋକାର୍ପିତ ହୋଇଥିଲା।
ସଂସଦୀୟ ଗଣତନ୍ତ୍ର ଶୀର୍ଷକ ଅଧିବେଶନରେ ପ୍ରଫେସର ଅମୀୟ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ହାଇଦ୍ରାବାଦର ବିଶିଷ୍ଟ ସମାଜ ବିଜ୍ଞାନୀ କଳ୍ପନା କାନ୍ନାବିରନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏବଂ ପ୍ରଫେସର ବିଜୟ ବହିଦାର ଆଲୋଚକ ଭାବରେ ଯୋଗଦେଇ କହିଥିଲେ ଯେ, ସଂସଦୀୟ ଗଣତନ୍ତ୍ରକୁ ବର୍ତ୍ତମାନ ସଙ୍କୁଚିତ କରାଯାଉଛି, ଯାହା ଫଳରେ ସଂସଦ ଏବଂ ବିଧାନସଭାଗୁଡ଼ିକ ବହୁ ମତବାଦୀ ସଂସ୍ଥାରେ ପରିଣତ ହେଉଛି। ସେହିପରି ଗଣତନ୍ତ୍ର ଉପରେ ଜଗତୀକରଣ ଏବଂ ଉଦାରୀକରଣର ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ରବି ଦାସ ଅଧ୍ୟକ୍ଷତା କରିଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ରାଧାକାନ୍ତ ବାରିକ, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ପ୍ରଫେସର ବୀରେନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସାନ୍ଧ୍ୟ ଅଧିବେଶନରେ ଏକଛତ୍ରବାଦ ଓ ଭ୍ରଷ୍ଟାଚାର ବିରୋଧରେ ଅଭିଯାନ ଶୀର୍ଷକ ଆଲୋଚନାରେ ପ୍ରଫେସର ଗୋଲକ ବିହାରୀ ନାଥ ଅଧ୍ୟକ୍ଷତା କରିଥିବା ବେଳେ ହିନ୍ଦୁସ୍ଥାନ ଟାଇମ୍ସର ପ୍ରାକ୍ତନ ସମ୍ପାଦକ ନଳିନୀ ରଞ୍ଜନ ମହାନ୍ତି, ଓଡିଶା ରାଜସ୍ବ ପାର୍ଷଦର ପ୍ରାକ୍ତନ ସଦସ୍ୟ ଜି. ଭି. ବେଣୁଗୋପାଳ, ମାନବାଧିକାର କର୍ମୀ ଫାଦର ଅଜୟ ସିଂହ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ।
ଆସନ୍ତାକାଲି ଧର୍ମନିରପେକ୍ଷତା, ସମାଜବାଦ ଓ ସାମାଜିକ ନ୍ୟାୟ ପାଇଁ ଜନ ଆନ୍ଦୋଳନ ଶୀର୍ଷକ ଆଲୋଚନା ହେବ। ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ରବି ରାୟ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ଉଦଘାଟନ ହେବାକୁ ଥିବା ବେଳେ ରବି ରାୟ ଶତବାର୍ଷିକୀ ସ୍ମାରକୀ ବକ୍ତୃତା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଜି. ହରଗୋପାଳ ଶତବାର୍ଷିକୀ ଭାଷଣ ପ୍ରଦାନ କରିବେ ତଥା ବିଶିଷ୍ଟ ଜୈବ କୃଷି ବିଶେଷଜ୍ଞ ନଟବର ଷଡ଼ଙ୍ଗୀ ରବି ରାୟ ଲୋକଶକ୍ତି ସବୁଜ ସମ୍ମାନରେ ସମ୍ମାନିତ ହେବେ।
ରବି ରାୟ ଜନ୍ମ ଶତବାର୍ଷିକୀ ଅବସରରେ ଦୁଇ ଦିନିଆ ରାଷ୍ଟ୍ରୀୟ ଆଲୋଚନା ଚକ୍ର: କର୍ପୋରେଟ୍ ଧନତନ୍ତ୍ର ଓ ଘୃଣା ରାଜନୀତି ଭବିଷ୍ୟତ ଗଣତନ୍ତ୍ର ପାଇଁ ବିପଦ
