ମଉଳିଲା ମେଟ୍ରୋ ରେଳ ସ୍ଵପ୍ନ, ୧୦ ବର୍ଷ ପଛକୁ ଚାଲିଯିବ ରାଜଧାନୀ

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରି କହିଛନ୍ତି ଯେ, ବିଜେପି ନେତୃତ୍ଵାଧୀନ ଓଡ଼ିଶା ସରକାର ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଚୁକ୍ତି ବାତିଲ କରିଥିବା ଖବର ବହୁତ ଆଘାତ ଦେଇଛି । ଭୁବନେଶ୍ବରକୁ ଏକ ବିଶ୍ଵସ୍ତରୀୟ ସହରରେ ପରିଣତ କରିବା ସ୍ଵପ୍ନ ସବୁବେଳେ ରହିଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ମେଟ୍ରୋ ପ୍ରକଳ୍ପ ବାତିଲ୍ କରି ଓଡିଶା ଲୋକଙ୍କୁ ପ୍ରତାରଣା କରିଛି । ଡବଲ ଇଞ୍ଜିନ ସରକାରଙ୍କ ଏହି ନିଷ୍ପତ୍ତି ଭୁବନେଶ୍ବର ସହରକୁ ୧୦ ବର୍ଷ ତଳକୁ ଚାଲିଯିବ । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସହରର ଗତିଶୀଳତାକୁ ନୂଆ ରୂପ ଦେଇଥାନ୍ତା। ଏହା ଭୁବନେଶ୍ଵରର ଜନଗହଳିକୁ ହ୍ରାସ କରିବା ସହ ସହର ସମ୍ପ୍ରସାରିତ ହୋଇପାରିବାର ଲକ୍ଷ୍ୟ ରହିଥିଲା।
ସୂଚନାଯୋଗ୍ୟ, ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ବାତିଲ କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା । ହେଲେ ୮ ମାସ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି ।

ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍‌କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ । କିନ୍ତୁ ଏହି ଦୁଇ କମ୍ପାନୀ ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି । ଏପରିକି ଦୁଇ କମ୍ପାନୀ ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *