ମାଲକାନଗିରି: ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀରେ ଓଡ଼ିଶାରେ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛି କଂଗ୍ରେସ । ମାଲକାନଗିରିର ମୋଟୁସ୍ଥିତ ୩ ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା ଆରମ୍ଭ କରିଛନ୍ତି ।
ଏହି ଅବସରରେ ମୋଟୁଠାରେ ନବନିଯୁକ୍ତ ଡିସିସି ସଭାପତି ଶ୍ରୀନିବାସ ରାଓଙ୍କ ଅଧ୍ୟକ୍ଷତାରେ ତଥା ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ୩ ନଦୀର ସଙ୍ଗମ, ୪ ରାଜ୍ୟର ମିଳନ ସ୍ଥଳରେ ଫୋନ୍ ନେଟୱର୍କ ନାହିଁ; ବିକାଶ ନାହିଁ । ସବୁ ଥାଇ ଏହା ଏକ ପର୍ଯ୍ୟଟନ ସ୍ଥଳ ହେଲାନାହିଁ । ଶ୍ରୀ ଦାସ ବିଜେପିକୁ ପ୍ରଶ୍ନ କରିଥିଲେ, ତ୍ରୁଟିପୂର୍ଣ ପ୍ରକଳ୍ପ କାହିଁକି କରୁଛ? ୨୦୧୩ କାନୁନ୍ ଅନୁସାରେ ୨୦ ବର୍ଷର ଭରଣପୋଷଣର କୁଆଡେ ଗଲା? ଚିତ୍ରକୋଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ପରି ଅଭାବନୀୟ ଘଟଣା ପରେ ‘ନାରୀ ପାଇଁ ନ୍ୟାୟ’ କାର୍ଯ୍ୟକ୍ରମ କଂଗ୍ରେସ ଗ୍ରହଣ କରିବାକୁ ବାଧ୍ୟ ହେଲା । ସେ ଆହୁରି କହିଛନ୍ତି, ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ଫସଲ ବୀମା ନାହିଁ । ସାରର ବ୍ୟାପକ କଳାବଜାର ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । କଟନିଛଟନିରେ ୨ ହଜାରର ଦୁର୍ନୀତି ହେଲା । କେବିକେ ଓ ଦେଶର ଅନ୍ୟ ପଛୁଆ ଅଞ୍ଚଳର ବିକାଶ ପାଇଁ ୟୁପିଏ ୪୦ ହଜାର କୋଟି ଦେଉଥିଲା । ବର୍ଷକୁ ୨ କୋଟି ହିସାବରେ ଗତ ୧୧ ବର୍ଷରେ ବେକାର ଯୁବକଙ୍କୁ ୨୨ କୋଟି ଚାକିରୀ ଦେବା କୁଆଡେ ଗଲା? ଓବିସି ସଂରକ୍ଷଣ ସ୍ଥିତି କ’ଣ? ଏହା କ’ଣ ସାମାଜିକ ନ୍ୟାୟ? ବିଜେପି ଅମଳରେ ସମ୍ବିଧାନ ମଧ୍ୟ ବିପଦରେ ।
ଏତେ ଦୁର୍ଗତି ସତ୍ତ୍ୱେ ଏମାନେ କିପରି ଜିତୁଛନ୍ତି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହା ଭୋଟ୍ ଚୋରିର କମାଲ୍ ଛଡା କିଛି ନୁହେଁ ବୋଲି ସେ କହିଛନ୍ତି ।
କଂଗ୍ରେସ ପକ୍ଷରୁ ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା ଆରମ୍ଭ
