ଭୁବନେଶ୍ୱର: ଓଡିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, କେନ୍ଦୁଝର ଜିଲ୍ଲା ସ୍ଥିତ ନିଗମର ଗନ୍ଧମାର୍ଦ୍ଦନ ଓ ଦୈତାରୀ ଲୌହ ଖଣି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ବ୍ୟାପକ ସମୀକ୍ଷା କରିଛନ୍ତି। ଖଣି କ୍ଷେତ୍ରର ଉତ୍ପାଦନ କାର୍ଯ୍ୟକ୍ଷମତା ବୃଦ୍ଧି, ସୁରକ୍ଷା ତଥା ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ବିଭାଗୀୟ ଅଧିକାରୀଙ୍କ ସହିତ ଖଣି ଅଞ୍ଚଳ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପ୍ରସଙ୍ଗରେ ସେ ଆଲୋଚନା କରିଛନ୍ତି।
ଏହି ଗସ୍ତରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଳ ଏବଂ ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣିଙ୍କ ସମେତ ଖଣି ଅଞ୍ଚଳର ଅଧିକାରୀ ଓ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଓର ଷ୍ଟକୟାର୍ଡ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ବାର୍ଷିକ ଲକ୍ଷ୍ୟ ଅନୁସାରେ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ବିକ୍ରୟ ବୃଦ୍ଧି କରି ଶିଳ୍ପଗୁଡ଼ିକୁ ନିୟମିତ ଖଣିଜ ଯୋଗାଣ ସୁନିଶ୍ଚିତ ତଥା ସୁପରିଚାଳନା କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗନ୍ଧମାର୍ଦ୍ଦନସ୍ଥିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ସମୀକ୍ଷା କରି ଏହାର ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ପରିଚାଳିତ ବିଭିନ୍ନ ପ୍ରକିୟାକୁ ନିରୀକ୍ଷଣ କରିଥିଲେ। ସଠିକ୍ ସମୟରେ ଯାଞ୍ଚ, ଖଣି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହିତ ସମସ୍ତ ପ୍ରକାରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏପରିକି ଖଣି ଅଞ୍ଚଳରେ, ପରିବେଶଗତ ମାନଦଣ୍ଡ ର କଠୋର ପାଳନ, ଅନଧିକୃତ ଏବଂ ଚୋରି ଚାଲାଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପରିଚାଳନା ନିର୍ଦ୍ଦେଶକ କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ନିର୍ମିତ ବିଭିନ୍ନ ସୁବିଧା ଗୁଡ଼ିକର ମଧ୍ୟ ମୂଲ୍ୟାଙ୍କନ କରିଥିଲେ। ଗନ୍ଧମାର୍ଦ୍ଦନ ପରେ ପରିଚାଳନା ନିର୍ଦ୍ଦେଶକ ଦୈତାରୀ ଖଣି ପରିଦର୍ଶନ କରିଥିଲେ।
ପରିଚାଳନା ନିର୍ଦ୍ଦେଶକ ଉଭୟ ଖଣି କ୍ଷେତ୍ର ପରିଦର୍ଶନ କରିବା ଅବସରରେ, ଉତ୍ପାଦନ ବୃଦ୍ଧି ସହିତ ପରିବେଶଗତ ମଞ୍ଜୁରୀ ଏବଂ ନିଜସ୍ଵ ଉତ୍ତରଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ସହ ଦାୟିତ୍ୱପୂର୍ଣ୍ଣ ଖଣି ପରିଚାଳନା ପାଇଁ ସଠିକ୍ ଆଭିମୁଖ୍ୟ ବଜାୟ ରଖିବାକୁ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
