ଗୋଟିଏ ମଞ୍ଚରେ ମୋଦୀ, ପୁଟିନ୍ ଓ ଜିନପିଙ୍ଗ

ନୂଆଦିଲ୍ଲୀ: ଚୀନରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ୨୫ତମ ଶିଖର ସମ୍ମିଳନୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକାଠି ସାକ୍ଷାତ୍ କରିଥିବାର ନଜର ଆସିଛନ୍ତି। ମୋଦି ପୁଟିନଙ୍କ ହାତ ଧରି ଆଗେଇ ଚାଲିଥିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତିନି ନେତା ମଧ୍ୟ ଅନୌପଚାରିକ ଭାବେ ଆଲୋଚନା କରୁଥିବା ଦେଖାଯାଇଥିଲା। ମଝିରେ ଉଭୟ କୌଣସି କଥାରେ ହସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ଏହି ତିନି ବଡ଼ ନେତାଙ୍କ ଏକାଠି ମିଳନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିନ୍ତାରେ ପକାଇ ଦେଇପାରେ। ଟ୍ରମ୍ପଙ୍କ ଟାରିଫ ନୀତି ଭାରତକୁ ଚୀନର ଅଧିକ ନିକଟତର କରିଛି। ଏହା ଉପରେ ପୁଟିନଙ୍କ ଏହି ଦୋସ୍ତି ଆମେରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଆମେରିକା ନିଜ ଦେଶର ଆର୍ଥିକ ସ୍ଥିତିର ଦ୍ୱାହି ଦେଇ ଭାରତ ବିରୋଧରେ ଅତ୍ୟଧିକ ଟାରିଫ ଲଗାଇଛି । ଯାହାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାରି ଭିତରେ ରୁଷ, ଚୀନ ଏବଂ ଭାରତ ଏକାଠି ହେବା ଆମେରିକା ପାଇଁ ଚିନ୍ତାଜନକ ବୋଲି କୁହାଯାଉଛି।
ସୋମବାର ଶିଖର ସମ୍ମିଳନୀର ଶେଷ ଦିନ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଅଭିଭାଷଣ ରଖିଛନ୍ତି । ସେ ଏସସିଓରେ ଆଞ୍ଚଳିକ ସହଯୋଗ ବୃଦ୍ଧି ପାଇଁ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି । ଏହା ପରେ ସେ ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ପରେ ମୋଦୀ ଭାରତ ଫେରିବେ।
ଏନେଇ ସି ଜିନପିଙ୍ଗ କହିଛନ୍ତି, ବିଶ୍ୱରେ ଅନିଶ୍ଚିତତା ବଢ଼ୁଛି। ଏପରି ସମୟରେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ଏସସିଓର ଦାୟିତ୍ୱ। ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ସମ୍ମିଳନୀ ସଫଳ ହେବ ବୋଲି ସେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *