କଟକ : ବେଆଇନ କଫ୍ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡ଼ିଶା ପୁଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍ ସିରପ ଜବତ ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୧୮୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏସଟିଏଫ୍ ପକ୍ଷରୁ ଭୁବନେଶ୍ୱର ସର୍ବାଧିକ ୨୬,୬୫୮ ବୋତଲ କଫ ସିରପ୍ ଜବତ କରାଯାଇଛି । ଏହାପରେ ସମ୍ବଲପୁର ଜିଲ୍ଲା ପୁଲିସ ୧୩ଟି ମାମଲା ରୁଜୁ କରିଥିବା ବେଳେ ୧୯,୯୦୮ ବୋତଲ କଫ ସିରପ ଜବତ କରିଛି। ବରଗଡ଼ ଜିଲ୍ଲା ପୁଲିସ ୧୭ଟି ମାମଲା ଓ ୧୨,୮୫୬ ବୋତଲ, ବଲାଙ୍ଗୀର ୧୨ଟି ମାମଲା ଓ ୫,୪୬୮ ବୋତଲ, ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା ଓ ୪୫୧ ବୋତଲ, ବୌଦ୍ଧ ଜିଲ୍ଲାରେ ୪ ଟି ମାମଲା ସହିତ ୧୮୮୬ ବୋତଲ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ସହିତ ୫୯୫ ବୋତଲ କଫ ସିରପ ଜବତ କରାଯାଇଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଏହି ସଫଳତାକୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏହିପରି ଅଭିଯାନ ଜାରି ରହିବା ସହ ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।
ବେଆଇନ କଫ୍ ସିରପ ଓ ଚାଲାଣକାରିଙ୍କ ବିରୁଦ୍ଧରେ ପୁଲିସର କାର୍ଯ୍ୟନୁଷ୍ଠାନ
