ମଣିପୁରରେ ଆଉ ୬ ମାସ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନକୁ ଆହୁରି ୬ ମାସ ପାଇଁ ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି। ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ, କେନ୍ଦ୍ର ସରକାର ଚଳିତ ବର୍ଷ ଫେବୃଆରୀରେ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଦେଇ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫୬ ଅନୁଯାୟୀ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ରାଷ୍ଟ୍ରପତି ଶାସନ ୬ ମାସ ପାଇଁ ଲାଗୁ ହୋଇଥାଏ ଏବଂ ସଂସଦର ଅନୁମୋଦନ ପରେ ଏହାକୁ ପ୍ରତି ଛଅ ମାସରେ ବୃଦ୍ଧି କରାଯାଇପାରିବ, କିନ୍ତୁ ଏହାକୁ କେବଳ ତିନି ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ। ଅଗଷ୍ଟ ୧୩ ତାରିଖରେ ମଣିପୁରରେ ରାଷ୍ଟ୍ରପତି ଶାସନର ଛଅ ମାସ ପୂରଣ ହେଉଛି। ଏଥିପାଇଁ ଏହାକୁ ଆଗକୁ ନେବା ପାଇଁ ଏକ ପ୍ରସ୍ତାବ ଅଣାଯାଇଥିଲା। ଏହି ସମ୍ପ୍ରସାରଣ ୧୩ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହେବ।
ସୂଚନା ଥାଉ କି, ୨୦୨୩ ମେ’ ରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହିଂସାତ୍ମକ ରୂପ ନେଇଥିଲା। ଏହି ସଂଘର୍ଷରେ ୨୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି ଏବଂ ହଜାର ହଜାର ଲୋକଙ୍କୁ ନିଜ ଘର ଛାଡି ଅନ୍ୟ ସ୍ଥାନକୁ ଯିବାକୁ ପଡିଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ ପରେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ୯ ଫେବୃଆରୀ ୨୦୨୫ରେ ଇସ୍ତଫା ଦେଇଥିଲେ। ଯାହା ପରେ ୧୩ ଫେବୃଆରୀ ୨୦୨୫ରେ କେନ୍ଦ୍ର ସରକାର ରାଜ୍ୟ ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

Leave a Reply

Your email address will not be published. Required fields are marked *