ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୪ଟି ବିଷୟବସ୍ତୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ପ୍ରଥମତଃ କୌଣସି ବ୍ୟକ୍ତି ମୋବାଇଲ ଫୋନ୍ ଶ୍ରୀମନ୍ଦିର ପରିସରରେ ବ୍ୟବହାର କଲେ ତେବେ ଦଣ୍ଡବିଧାନର ପ୍ରସ୍ତାବ ରହିବ। ବର୍ତ୍ତମାନ ୧୦୦୦ ଟଙ୍କା ଜୋରିମାନା ଏନେଇ ରହିଛି। ଦ୍ୱିତୀୟତଃ କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁର୍ଣ୍ଣ କରିବେ ନାହିଁ। ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କରିବେ ନାହିଁ। ଯଦି ଏଭଳି ହୁଏ କଠୋର ଦଣ୍ଡବିଧାନ ହେବ। ଏପରିକି ଜାମିନ ମଞ୍ଜୁର କିମ୍ବା ସହ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ପାଇଁ ପ୍ରସ୍ତାବ ଦିଆଯିବ। ତୃତୀୟରେ ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡାଇଲେ କଠୋର ଦଣ୍ଡବିଧାନ ସହ ଜାମିନ ନାମଞ୍ଜୁର ପାଇଁ ପ୍ରସ୍ତାବ ଦିଆଯିବ। ଚତୁର୍ଥରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୫୫ ଅନ୍ତର୍ଗତ ଦଣ୍ଡବିଧାନ ହୋଇପାରିବ। ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରିବ। ସେପଟେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୁଆର ମହାସୁଆର ନିଯୋଗ ସହ ବୈଠକ ହୋଇଛି। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୁଖୁଲି ଭୋଗ ଏବଂ ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ। ଆନନ୍ଦ ବଜାରରେ ଭକ୍ତ ମାନେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ ପାଇପାରିବେ ସେନେଇ ରେଟ୍ ଚାର୍ଟ ମଧ୍ୟ ଖୁବଶୀଘ୍ର ଲଗାଯିବ।‌ ତେବେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିଛି ସୁଆର ମହାସୁଆର ନିଯୋଗ।
ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା କରାଗଲେ ଭକ୍ତ ମାନେ ଏକ ସୁଖଦ ଅନୁଭୁତି ନେଇ ଫେରିବେ। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରସ୍ତାବ ଦିଆଯାଇଥିବା ବେଳେ ସରକାର ଏନେଇ ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଶ୍ରୀମନ୍ଦିରର ନୀତି ଓ ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ, ସ୍ବତନ୍ତ୍ର ପୋଲିସ ବାହିନୀର କମାଣ୍ଟାଣ୍ଟ ପ୍ରମୁଖ‌ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *