ଭୁବନେଶ୍ୱର: ମୃତ୍ୟୁ ସହ ଲଢେଇ କରି କରି ଶେଷରେ ହାରିଗଲେ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା । ୩୬ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସଙ୍ଗୀତ ପ୍ରେମୀଙ୍କ ସହ ସବୁ ବର୍ଗରେ ଶୋକର ଲହରି ଖେଳି ଯାଇଛି।ହ୍ୟୁମାନ ସାଗର ଲିଭରଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ତାଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇ ପଡ଼ିଥିଲା। ଶେଷରେ ଜୀବନ ମରଣ ସହ ସଂଘର୍ଷ କରି ସେ ଆର ପାରିକୁ ଚାଲିଗଲେ।ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ ହ୍ୟୁମାନ ସାଗର। କଟକ ଥିଲା ତାଙ୍କର କର୍ମମୟ ଜୀବନ। ସେ ବହୁ ଲୋକପ୍ରିୟ ହିଟ୍ ସଙ୍ଗୀତରେ କଣ୍ଠଦାନ କରିଥିଲେ। ନିଜ କଣ୍ଠର ଯାଦୁରେ ଓଲିଉଡରେ ସ୍ଵତନ୍ତ୍ର ସ୍ଥାନ ପାଇଥିଲେ। ତାଙ୍କର ଗାଇବା ଶୈଳୀ ଏତେ ନିଆରା ଥିଲା ଯେ, ଶ୍ରୋତାଙ୍କ ହୃଦୟକୁ ଛୁଇଁ ଯାଉଥିଲା। ‘ଇସ୍କ ତୁ ହି ତୁ’ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ। ଆଉ ଶେଷ ଥର ପାଇଁ ‘ଚାରିଧାମ’ ଫିଲ୍ମରେ କଣ୍ଠଦାନ କରିଥିଲେ । ୨୦୧୨ରେ ରିୟଲଟି ଶୋ ‘ଭଏସ ଅଫ୍ ଓଡ଼ିଶା’ରେ ଚାମ୍ପିଅନ ହୋଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ସୁପର ହିଟ୍ ହୋଇ ଚାଲିଥିଲା। ବିଶେଷ କରି ତାଙ୍କର ଦୁଃଖ ଭରା ଗୀତ ଯୁବ ପିଢିଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲା । ତାଙ୍କର ବିୟୋଗ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ଦର୍ଶକ ଏବଂ ପ୍ରଶଂସକ ପ୍ରାର୍ଥନା କରିଛନ୍ତି ।
ଆରପାରିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
