ମିଳୁନି ବକେୟା, ଗୋଦାମରେ ପଡ଼ିରହିଛି ବଳକା ଚାଉଳ

 ଭୁବନେଶ୍ଵର : ବକେୟା ପଡ଼ିଥିବା ରାଜ୍ୟର ୮ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେଉ ନାହାନ୍ତି । ସେହିପରି ଏଫ୍‌ସିଆଇ ଜରିଆରେ ଚାଉଳ ଉଠାଇବାକୁ ବାରମ୍ବାର ଦାବିକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଉପେକ୍ଷା କରି ଚାଲିଛି। ପୂର୍ବରୁ ବିଜେଡି ସରକାର, ତତ୍‌କାଳୀନ ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ, ବିଜେଡିର ସାଂସଦମାନେ ଯେଉଁ ଦାବି କରି  ଆସୁଥିଲେ; ଏବର ସରକାର ସେହି ଦାବି ବାରମ୍ବାର ଦୋହରାଇଛନ୍ତି। ଏହା ସତ୍ତ୍ଵେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇନାହିଁ। ଧାନକିଣା ବାବଦ ବକେୟା ଟଙ୍କା ମିଳୁନାହିଁ କି ବଳକା ଚାଉଳ ରାଜ୍ୟରୁ ଉଠାଯାଉ ନାହିଁ। ଆସନ୍ତା ସପ୍ତାହରେ ରାଜ୍ୟରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବାରୁ ବଳକା ଚାଉଳ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଛି । ତେଣୁ କେନ୍ଦ୍ର ସରକାର ରାଜ୍ୟରୁ ଚାଉଳ ଉଠାଇବା ଓ ବକେୟା ପ୍ରଦାନ ପାଇଁ ପୁଣି ଦାବି କରିଛି ଓଡ଼ିଶା । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ଦିଲ୍ଲୀରେ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟି ପୂର୍ବ ଦାବିକୁ ଦୋହରାଇଛନ୍ତି ।

ରାଜ୍ୟରେ ବାର୍ଷିକ ପ୍ରାୟ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହେଉଛି । ଖାଦ୍ୟ ସୁରକ୍ଷା ଯାଜନା, ବିଭିନ୍ନ ଛାତ୍ରାବାସ ଓ ଛାତ୍ରୀନିବାସ ଆଦି ପାଇଁ ପ୍ରାୟ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି। ତେଣୁ ବର୍ଷକୁ ପ୍ରାୟ ୧୩ ଲକ୍ଷ ଟନ୍ ଚାଉଳ ବଳକା ରହୁଛି। ଗତ ବିଧାନସଭା ଅଧିବେଶନ ସମୟରେ ମନ୍ତ୍ରୀ ମଧ୍ୟ ଏହା ହା ସ୍ବୀକାର କରିବା ସହ ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ପାଇଁ ବାରମ୍ବାର ଅନୁରୋଧ କରାଯାଇଛି I ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ  ନିଲାମ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି କହିଥିଲେ। ମାତ୍ର ଏହି ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରାଜି ହେଉ ନାହାନ୍ତି। ଦିନ କେଇଟା ପରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଯିବ ।  ଏଥିପାଇଁ ଗଛିତ ଚାଉଳ ଯୋଗୁଁ ଗୋଦାମ ସମସ୍ୟା ମଧ୍ୟ ବଢ଼ିବ। ଏହା ବ୍ୟତୀତ ଏତେ ପରିମାଣରେ ଚାଉଳ ବଡ଼ିବା ପରେ ସ୍ଥିତି ଆହୁରି ଚିନ୍ତାଜନକ ହେବ । ସେହିପରି ଧାନ କ୍ରୟ ବାବଦରେ କେନ୍ଦ୍ର ଉପରେ ପ୍ରାୟ ୮ ହଜାର କୋଟି ଟଙ୍କା ବକେୟା ରହିଛି । ପୂର୍ବରୁ ଏହା ୧୨ ହଜାର କୋଟି ଟଙ୍କା ରହିଥିଲା, ଇତିମଧ୍ୟରେ କେନ୍ଦ୍ର ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୪ ହଜାର କୋଟି ପ୍ରଦାନ କରିଥିଲେ ହେଁ ଅବଶିଷ୍ଟ ଅର୍ଥ ଏଯାଏ ମିଳିନାହିଁ । ଯାହା ଫଳରେ ଧାନ କ୍ରୟ ପାଇଁ ସରକାରଙ୍କୁ ଋଣ କରିବାକୁ ପଡ଼ୁଛି ଓ ଏ ବାବଦ ସୁଧ ରାଜକୋଷରୁ ଭରଣା ହେଉଛି ।  ତେଣୁ ବକେୟା ଅର୍ଥ ପ୍ରଦାନ ପାଇଁ ପୁଣିଥରେ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଅଳି କରିଛି । ଏହା ପୂର୍ବରୁ ମଧ୍ୟ ବିଭାଗ ପକ୍ଷରୁ ଏଭଳି ଅନୁରୋଧ କରାଯାଇଥିଲେ ବି ଏସବୁ ନିଷ୍ପ୍ରଭ ରହିଛି। ତେଣୁ ମନ୍ତ୍ରୀ ଚଳିତ ଗସ୍ତ କେତେ ଫଳପ୍ରଦ ହେଉଛି ତାହା ଉପରେ ବିରୋଧୀ ନଜର ରଖୁଛନ୍ତି I ଆସନ୍ତା ସପ୍ତାହରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ବଳକା ଚାଉଳ ଉଠିବା ବ୍ୟବସ୍ଥା ନ ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେବାର ଆଶଙ୍କା ଥିବାରୁ ଯୋଗାଣ ମନ୍ତ୍ରୀଙ୍କ ପାଇଁ ଏହା ବିଷମ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଏ ସମ୍ପର୍କରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଗସ୍ତ ଅବସରରେ ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧୂକାରୀମାନେ ମଧ୍ୟ ଉପସ୍ଥିତ ଥ‌ିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *