ଭୁବନେଶ୍ୱର:ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍ଗୁଡ଼ିକରେ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି । ଏହି ସମ୍ପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ବ୍ୟବହାର ଉପରେ ବି କଟକଣା ଲାଗିଛି ।
ସରକାରୀ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଲାଗିଥିବା ଫୁଲ ତୋଡ଼ା, ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ଓ ପ୍ଲାଷ୍ଟିକ୍ କପ୍ ବ୍ୟବହାର ହେବନି। ଏମିତି କି ଥର୍ମୋକଲ୍ ପ୍ଲେଟ ଓ ବାଉଲ୍ ବି ବ୍ୟବହାର ହୋଇ ପାରିବ ନାହିଁ। ପ୍ଲାଷ୍ଟିକ ବୋତଲ ବ୍ୟବହାର ବଦଳରେ କାଚ, ଷ୍ଟିଲ କିମ୍ବା ଅନ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।