ଭୁବନେଶ୍ବର: ମନ୍ତ୍ରୀ ହେବା ପରଠୁ କେତେବେଳେ ଆଳୁ ତ କେତେବେଳେ ଧାନ ବିକ୍ରୀକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନେଇ ସାମନାକୁ ଆସିଛି ନୂଆ ବିବାଦ । କୃଷ୍ଣ ପାତ୍ର ଜମି ଠକେଇ ନେଇ ଅଭିଯୋଗ କରିବା ପରେ ଜଣଙ୍କୁ ଗିରଫ କରାଯାଇଛି। ତେବେ ଜମି କିଣିବାକୁ କୃଷ୍ଣ ପାତ୍ର ଦେଇଥିବା ଅର୍ଥକୁ ନେଇ ଏବେ ବିବାଦ ଉଠିଛି। ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ନେଇ ଦେଇଥିବା ତଥ୍ୟ ଜମି ଅର୍ଥ ସହ ମେଳ ଖାଉନି । ତେବେ ଫସିଯିବେ କି ମନ୍ତ୍ରୀ କୃଷ୍ଣ ପାତ୍ର?
ମିଛ ସତ୍ୟପାଠ ନେଇ ଆସିଛି ଅଭିଯୋଗ ପରେ ଶ୍ରୀ ପାତ୍ର ଅଡୁଆରେ ପଡ଼ିଲେଣି । କାରଣ ଜଣେ ମନ୍ତ୍ରୀ ନିର୍ବାଚନ ସତ୍ୟପାଠରେ ତାଙ୍କ ପାଖରେ ଯେତିକି ଅର୍ଥ ଥିବା କହିଥିଲେ, ତାଠାରୁ ୪ଗୁଣା ଅଧିକ ଟଙ୍କା ଜମି କିଣିବାକୁ ଦେଇଥିଲେ । ମନ୍ତ୍ରୀ ସ୍ପଷ୍ଟ କରିବା ଦରକାର ୨୫ଲକ୍ଷ ଟଙ୍କାର ସ୍ରୋତ କଣ? ତେଣୁ ପ୍ରଶ୍ନ ଉଠୁଛି, ମିଥ୍ୟା ସତ୍ୟପାଠକୁ ନେଇ ତଦନ୍ତର ସାମନା କରିବେ କି ମନ୍ତ୍ରୀ? ଅଭିଯୋଗ ସତ ପ୍ରମାଣିତ ହେଲେ କଣ ହେବ? କୃଷ୍ଣ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି? ବିବାଦକୁ ନେଇ ମନ୍ତ୍ରୀ ପଦ ହରାଇବେ କି କୃଷ୍ଣ ପାତ୍ର ?