ଉନ୍ନାଓ ଦୁଷ୍କର୍ମ ମାମଲା: କୁଲଦୀପ ସେଙ୍ଗରଙ୍କ ଜାମିନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ବାହାରେ ତୀବ୍ର ବିକ୍ଷୋଭ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗରଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ଏବଂ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ନିଷ୍ପତ୍ତିକୁ ନେଇ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ବାହାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆନ୍ଦୋଳନକାରୀମାନେ କୋର୍ଟ ପରିସର ନିକଟରେ ଏକାଠି ହୋଇ ସ୍ଲୋଗାନ ଦେବା ସହ ଏହାକୁ ଦୃଢ଼ ବିରୋଧ କରିଛନ୍ତି । ପୀଡ଼ିତାଙ୍କ ମା’ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପରିବାର ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ସେ କହିଛନ୍ତି, “ତାଙ୍କ ଜାମିନ ଖାରଜ କରାଯିବା ଉଚିତ୍। ଆମେ ହାଇକୋର୍ଟ ଉପରେ ଭରସା ହରାଇ ସାରିଛୁ। ଯଦି ସୁପ୍ରିମକୋର୍ଟରେ ନ୍ୟାୟ ନ ମିଳେ, ତେବେ ଆମେ ଅନ୍ୟ ଦେଶକୁ ଚାଲିଯିବୁ। ମୋ ସ୍ୱାମୀଙ୍କ ହତ୍ୟାକାରୀକୁ ତୁରନ୍ତ ଫାଶୀ ଦିଆଯାଉ।” କୋର୍ଟଙ୍କ ନିଷ୍ପତ୍ତି ପରେ ପୀଡ଼ିତା ନିଜକୁ ଅତ୍ୟନ୍ତ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେଙ୍ଗର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ସେ ଜେଲରୁ ବାହାରିବା ପରେ ବିପଦ ବଢ଼ିଯାଇଛି। ପୀଡ଼ିତା ୨୦୧୯ରେ ଘଟିଥିବା ଏକ ଦୁର୍ଘଟଣାର ଉଦାହରଣ ଦେଇଥିଲେ, ଯେଉଁଥିରେ ତାଙ୍କର ଦୁଇ ସମ୍ପର୍କୀୟ ଏବଂ ଓକିଲଙ୍କ ମୃତ୍ୟୁ ଘଟିଥିଲା। ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ସେଙ୍ଗର ନିଜ ଲୋକଙ୍କ ଜରିଆରେ ପୁଣି କ୍ଷତି ପହଞ୍ଚାଇ ପାରନ୍ତି। ବର୍ତ୍ତମାନ ଦିଲ୍ଲୀରେ ରହୁଥିବା ପୀଡ଼ିତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ(CRPF) ସୁରକ୍ଷା ଯୋଗାଇ ଦିଆଯାଇଛି। ବିକ୍ଷୋଭରେ ସାମିଲ ଥିବା ମହିଳା ଅଧିକାର କର୍ମୀ ଯୋଗିତା ଭାୟାନା କହିଛନ୍ତି ଯେ, ଜଣେ ଦୁଷ୍କର୍ମକାରୀର ଦଣ୍ଡାଦେଶ ବାତିଲ ହେବା ସମଗ୍ର ଦେଶର ମହିଳାଙ୍କୁ ଆଘାତ ଦେଇଛି। ପୋଲିସ ଏବଂ ସୁରକ୍ଷା କର୍ମୀମାନେ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ହଟାଇବାକୁ ଚେଷ୍ଟା କରିଥିଲେ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ଥାନ ଖାଲି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସେଙ୍ଗରଙ୍କୁ ୨୦୧୯ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *