ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଙ୍କକଷା

ନୂଆଦିଲ୍ଲୀ : ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ଉପରାଷ୍ଟ୍ରପତି ପଦ ଖାଲି ପଡିଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ତାତି ବଢିଛି । ଏହାପରେ ଉଭୟ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟ କାହାକୁ ପ୍ରାର୍ଥୀ କରିବେ, ସେ ଉପରେ ଚର୍ଚ୍ଚା ଜୋର ଧରିଛି ।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ନିଜ କ୍ୟାଡରର କୌଣସି ପ୍ରତିବଦ୍ଧ ନେତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଗୋଆର ପୂର୍ବତନ ରାଜ୍ୟପାଳ ପିଏସ ଶ୍ରୀଧରନ୍ ପିଲାଇଙ୍କ ନାଁ ରେସରେ ଆଗରେ ରହିଛି । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ସହଯୋଗୀ ଦଳଙ୍କୁ ଅସୁବିଧାରେ ପକାଇବାକୁ ଦଳ ବିହାର କିମ୍ବା ଆନ୍ଧ୍ରପ୍ରଦେଶର କୌଣସି ନେତାଙ୍କୁ ପ୍ରାର୍ଥୀ କରି ଜେଡିୟୁ ଓ ଟିଡିପିକୁ ଧର୍ମସଂକଟରେ ପକାଇବାକୁ ରଣନୀତି କରୁଛନ୍ତି ବିରୋଧୀ । ବିରୋଧୀଙ୍କ ପ୍ରାର୍ଥୀ ବିହାର କିମ୍ବା ଆନ୍ଧ୍ରପ୍ରଦେଶରୁ ହେଲେ ଆଞ୍ଚଳିକ ସନ୍ତୁଳନ ରକ୍ଷା କରିବାର ଧର୍ମସଂକଟ ସହ ଯୁଝିବେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ।

ଉଭୟ ଗୃହରେ ମିଶାଇ ଏନଡିଏ ପାଖରେ ୪୧୮ ସାଂସଦ ରହିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ୩୯୨ ସଦସ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ, ଏନଡିଏ ପାଖରେ ଏହାଠାରୁ ଅଧିକ ୨୬ ସାଂସଦ ଅଛନ୍ତି । ଏହାଛଡା ରାଜ୍ୟସଭାରେ ୭ଜଣ ମନୋନୀତ ଓ ୨ ସ୍ବାଧୀନ ସାଂସଦଙ୍କ ସମର୍ଥନ ବି ରହିଛି । ସେହିପରି ଲୋକସଭାରେ ବି ମେଣ୍ଟକୁ ଅକାଳୀ ଦଳର ସମର୍ଥନ ମିଳିପାରେ । ଏହାସହ ସେଠାରେ ୭ଦଣ ସ୍ବାଧୀନ ଓ ୪ଟି ଛୋଟ ଦଳର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *