ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯୁଦ୍ଧ ପାଇଁ ଏକ ବାତାବରଣ ତିଆରି ହେବାରେ ଲାଗିଛି। କ୍ଷମତାସୀନ ଦଳ ଓ ସରକାର ଯୁଦ୍ଧ ପାଇଁ ସଜବାଜ ହେଉଥିବା ଦେଖାଉଛନ୍ତି I ବିରୋଧୀ ଦଳମାନଙ୍କୁ କାଳେ କେହି ସରକାରୀ ଦଳଠାରୁ ଭୀରୁ ବା ପାକିସ୍ଥାନ ସମର୍ଥକ ବୋଲି ଅପବାଦ ଦେବ, ସେହି ଭୟରେ ସେମାନେ ବି ଯୁଦ୍ଧ ପାଇଁ ଦୁନ୍ଦୁଭି ବଜାଇବା ଆରମ୍ଭ କରିଦେଇଛନ୍ତି। ଆମ ଦେଶରେ ଏସି ତଳେ ବସି ବୁଦ୍ଧିଜୀବୀ ବୋଲି ଦେଖାଇ ହେଉଥିବା ବର୍ଗ ମଧ୍ୟ ଯୁଦ୍ଧ ହେଉ ବୋଲି ଦାବି କରୁଛନ୍ତି I ସ୍ଵାଧୀନତା ସଂଗ୍ରାମରେ ସାମିଲ ଥିବା ଗୋଷ୍ଠୀଠାରୁ ନିଜକୁ ଅଧିକ ଦେଶପ୍ରେମୀ ବୋଲି ପ୍ରମାଣିତ କରିବାକୁ, ଦେଶର ଉନ୍ନତିରେ କୌଣସି ଯୋଗଦାନ ନଥିବା ଯୁବକମାନଙ୍କର ଏକ ଗୋଷ୍ଠୀ ବିନା ତ୍ୟାଗ ଓ ପରିଶ୍ରମରେ ଯୁଦ୍ଧ ହିଁ ବିକଳ୍ପ ବୋଲି ସାମାଜିକ ଗଣମାଧ୍ୟମରେ ଚିତ୍କାର କରୁଛନ୍ତି। ଆଗରେ ଥିବା ବିହାର ବିଧାନସଭା ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ରରେ ଶାସନ କରୁଥିବା ଦଳ ଏଭଳି ସୁବର୍ଣ୍ଣ ସୁଯୋଗକୁ ହାତ ଛଡା କରିବାକୁ ପଛାଉ ନାହାନ୍ତି। ତେବେ କେବଳ ପହଲଗାମ ଘଟଣାର ସମବେଦନା ଏହି ନିର୍ବାଚନ ଜିତିବାକୁ ଯଥେଷ୍ଟ ହେବ ନାହିଁ ଜାଣି ‘ଜାତି ଜନଗଣନା’ ଘୋଷଣା ସାରିଲେଣି I ଏକଦା ‘ଜାତି ଜନଗଣନା’କୁ ଦେଶ ବିଭାଜନ ଶକ୍ତିଙ୍କ ଚାଲ ବୋଲି କହୁଥିଲା ବେଳେ ଏବେ ଏହାକୁ ସ୍ୱୀକାର କରିବା ବ୍ୟତୀତ ଭାଜପା ନିକଟରେ ଅନ୍ୟ ଗତି ନଥିବା ପରି ସ୍ଥିତି ଉପୁଜିଛି I
ଯୁଦ୍ଧ ଏକ ସାମାନ୍ୟ କଥା ନୁହେଁ I ଯେକୌଣସି ଦେଶ ଯୁଦ୍ଧ ଆରମ୍ଭ କରିଦେବା ସାଧାରଣ କଥା, ହେଲେ ଶେଷ କରିବା ଦେଶର ନିଜ ହାତରେ ନଥାଏ I ଶତୃ ପକ୍ଷ ଯେତେ ଦୁର୍ବଳ ହେଉ ପଛକେ କେତେ ଦିନରେ ତମେ ତାକୁ ଧୂଳି ଚଟେଇ ଦେବ, ସେ କଥା କେହି କହିପାରିବେ ନାହିଁI ଆଜିର ସମୟରେ ତ ମୋଟେ ନୁହେଁ I ଯୁଦ୍ଧ ପାଇଁ ଯୋଜନା କଲାବେଳେ କୂଟନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଶତୃ ପକ୍ଷକୁ କେଉଁ ଦେଶମାନେ ସାହାଯ୍ୟ କରିବେ, ସେ ବାବଦରେ ନିର୍ଦ୍ଦିଷ୍ଟ ଭାବରେ ଆକଳନ କରିବା ନିହାତି କଷ୍ଟକର ବ୍ୟାପାର I ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି I ୟୁକ୍ରେନର ସୈନ୍ୟ ଶକ୍ତି ରୁଷର ଚାରି ଭାଗରୁ ଭାଗେ ବି ନୁହେଁ । ଯୁଦ୍ଧ ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପଦେଷ୍ଟାମାନେ ଆକଳନ କରିଥିଲେ ଯେ, ଅତି ବେଶୀରେ ତିନି ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ ହୋଇଯିବ ଓ ଏହି ଯୁଦ୍ଧରେ ରୁଷ ନିକଟରେ ୟୁକ୍ରେନ ଆତ୍ମସମର୍ପଣ କରିବ I ଏହା ମଧ୍ୟରେ ତିନିବର୍ଷରୁ ଅଧିକ ହୋଇଗଲାଣି, ହେଲେ ଯୁଦ୍ଧ ଶେଷ ହେବାର ନାଁ ନେଉ ନାହିଁ ।
ୟୁକ୍ରେନ ପଛରେ କେତେ ଯେ ଦେଶ କେତେ ଯୋଜନାରେ ଛିଡା ହୋଇ ଗୋଟି ଚଳାଇ ଚାଲିଛନ୍ତି, ତାହା ତାହାର ଅନୁମାନର ବାହାରେ ରହିଥିଲା। ପାକିସ୍ତାନ ସହ ଭାରତର ସମ୍ପର୍କ ଯୁଦ୍ଧIଭିମୂଖୀ ହେଉଥିବା ବେଳେ, ଠିକ ଏହି ସମୟରେ ଗୋଟିଏ ଚିନ୍ତାଜନକ ଘଟଣା ଘଟିଛି I ରୁଷ ତାହାର ଅତି ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଏସ- ୪୦୦ କୁ ଚୀନକୁ ହସ୍ତାନ୍ତର କରିଛି I ରୁଷ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଏହାକୁ ଟାଳି ଆସୁଥିଲା I ଆଜିର ଯୁଦ୍ଧ ବାତାବରଣରେ ଚୀନକୁ ଏସ – ୪୦୦ ହସ୍ତାନ୍ତର କରିବା ଭାରତ ସମେତ ଅନ୍ୟ ରାଷ୍ଟ୍ର ସମୂହକୁ ଆଶ୍ଚର୍ଯ୍ୟ ଚକିତ କରିବା ସ୍ଵାଭାବିକ I ଏୟାର ଡିଫେନ୍ସ କ୍ଷେତ୍ରରେ ଏସ – ୪୦୦ର କୌଣସି ମୁକାବିଲା ନାହିଁI ଚୀନ ପାକିସ୍ତାନର ବନ୍ଧୁ ଓ ଆମ ସହ ତାହାର ସମ୍ପର୍କ ଅହୀ ନକୁଳର I ଆମ ଦେଶର ପାଞ୍ଚଟି ରାଜ୍ୟର ସୀମାକୁ ଛୁଇଁଛି ବଙ୍ଗଳାଦେଶ I ଏକଦା ବଙ୍ଗଳାଦେଶକୁ ପାକିସ୍ଥାନ କବଳରୁ ସ୍ଵାଧୀନ କରିଥିଲା ଭାରତ। ହେଲେ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଯୁଦ୍ଧ ହେଲେ ଭାରତ ବଦଳରେ ବଙ୍ଗଳାଦେଶ ପାକିସ୍ଥାନ ପ୍ରତି ସମର୍ଥନ ଦେବ, ଏକଥା ଜଳ ଜଳ ଦେଖାଯାଉଛି I ପଡୋଶୀ ମାଳଦ୍ଵୀପ ଓ ନେପାଳ ସହ ଆମର ସମ୍ପର୍କ ଲୁଚି ରହି ନାହିଁ । ଶ୍ରୀଲଙ୍କା ଉପରେ ଚୀନର ପ୍ରଭାବ ମଧ୍ୟ ସର୍ବ ଜନବିଦିତ I ସମୟ ବଦଳିଛି, ତା ସହିତ ପ୍ରାଥମିକତା ବି I ଯୁଦ୍ଧ କୌଣସି ସ୍ଥାୟୀ ସମାଧାନ ଦିଏ ନାହିଁ I ଏହା ସମାଧାନର ରାସ୍ତା ନୁହେଁ, ବିନାଶର I କେବଳ ୟୁକ୍ରେନର ନୁହେଁ ଯୁଦ୍ଧରେ ରୁଷର ଯେ, ପ୍ରବଳ କ୍ଷତି ହୋଇ ସାରିଲାଣି, ତାହା ସେ ଦେଶର ନାଗରୀକମାନଙ୍କ ଦ୍ଵାରା ହେଉଥିବା ବିଭିନ୍ନ ସରକାର ବିରୋଧୀ କାର୍ଯ୍ୟକ୍ରମମାନଙ୍କରୁ ବୁଝାପଡୁଛିI
ପାକିସ୍ଥାନ ବିରୋଧରେ ୧୯୭୧ ମସିହାରେ ଭାରତର ହୋଇଥିବା ଯୁଦ୍ଧକୁ ପରିଚଳନା ଦୃଷ୍ଟିରୁ ସର୍ବୋତ୍ତମ ବୋଲି ଵିଚାର କରାଯାଏ I ପାକିସ୍ତାନ ସରକାରର ଉତ୍ପୀଡ଼ନର ଶିକାର ହୋଇ ପୂର୍ବ ବଂଗର ଲକ୍ଷ ଲକ୍ଷ ଲୋକେ ଶରଣାର୍ଥୀ ଭାବରେ ଜୀବନ ବିକଳରେ ଭାରତ ମଧ୍ୟକୁ ପ୍ରବେଶ କରିବାରେ ଲାଗିଥାନ୍ତି I ଏତେ ଶରଣାର୍ଥୀଙ୍କ ବୋଝ ମୁଣ୍ଡେଇବା ଠାରୁ ଯୁଦ୍ଧ କରି ପାକିସ୍ତାନକୁ ଦୁଇଭାଗ କରିଦେବା ଆର୍ଥିକ ଦୃଷ୍ଟିରୁ ଶସ୍ତା ହେବ ବୋଲି ହିସାବ କରି ଏହି ଲକ୍ଷ୍ୟରେ ବଙ୍ଗଳାଦେଶର ମୁକ୍ତି ସଂଗ୍ରାମୀଙ୍କୁ ଭାରତ ଟ୍ରେନିଂ ପ୍ରଦାନ କରୁଥାଏ I ୧୯୭୧ ମସିହା ଡିସେମ୍ବର ତିନି ତାରିଖ ସନ୍ଧ୍ୟା ପାଞ୍ଚଟା ପଞ୍ଚତିରିଶ ମିନିଟ । ପାକିସ୍ତାନୀ ଏୟାର ଫୋର୍ସ ହଠାତ ସୀମାର ୪୮୦ କିଲୋମିଟର ଭିତରକୁ ପଶି ଆଗ୍ରା ସମେତ ଦେଶର ଆଠଟି ବିମାନ ଘIଟି ଉପରେ ବୋମା ବର୍ଷଣ କଲା I ସେହିଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶକୁ ସମ୍ବୋଧନ କରି କହିଲେ, “x x x ଆଉ ନୁହେଁ, ପାକିସ୍ତାନର ଏ ଦୁଃସାହସ ଗୋଟିଏ ପୂର୍ଣ୍ଣାଙ୍ଗ ଯୁଦ୍ଧକୁ ଆହ୍ୱାନ ଦେଇଛି x x I” ସେହିଦିନ ରାତିରୁ ହିଁ ସମ୍ମୁଖ ସମର ଆରମ୍ଭ ହୋଇଗଲା I ଏହା ତେର ଦିନ ଧରି ଚାଲିଥିଲା I ୧୬ ଡିସେମ୍ବର ୧୯୭୧ରେ ତେୟାନବେ ହଜାରରୁ ଅଧିକ ପାକିସ୍ତାନୀ ସୈନ୍ୟ ଭାରତୀୟ ସେନା ନିକଟରେ ଆତ୍ମ ସମର୍ପଣ କଲେl ଯୁଦ୍ଧରେ ପାକିସ୍ତାନ ପରାହତ ହେଲା ସତ। ମାତ୍ର ଉଭୟ ଦେଶର କ୍ଷୟ-କ୍ଷତିକୁ ଦେଖିଲେ ଯୁଦ୍ଧକୁ ନେଇ ଗୋଟିଏ ଭିନ୍ନ ଚିନ୍ତା ମନକୁ ଆସେ : ଆମକୁ ସମାଧାନ ନିମନ୍ତେ ଅନ୍ୟ ମାର୍ଗ ଦେଖିବାକୁ ପଡିବ I
ଏହି ଯୁଦ୍ଧରେ ଆଠ ହଜାରରୁ ଉର୍ଦ୍ଧ୍ଵ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା ତଥା ପଚିଶ ହଜାରରୁ ଅଧିକ ଆହତ ହୋଇଥିଲେ I ସେମିତି ଯୁଦ୍ଧ କ୍ଷେତ୍ରରେ ତିନି ହଜାର ଭାରତୀୟ ସୈନ୍ୟ ଶହୀଦ ଓ ଅନ୍ୟୁନ ବାର ହଜାର ସୈନ୍ୟ ଆହତ ହୋଇଥିଲେ I ପ୍ରଖ୍ୟାତ ପାକିସ୍ତାନୀ ଶିକ୍ଷାବିତ ସ୍ଵର୍ଗତ ତାରିକ ଅଲି ଲେଖିଛନ୍ତି : ପାକିସ୍ତାନ ତାର ଅଧେ ନୌସେନା ଏହି ଯୁଦ୍ଧରେ ହରାଇ ଥିଲା I ଅତ୍ୟନ୍ତ ହୃଦୟ ବିଦାରକ କଥା ହେଉଛି ଯେ, ଯୁଦ୍ଧ ଓ ଅନ୍ତରୀଣ ହିଂସା କାରଣରୁ ପ୍ରାୟ ତିରିଶ ଲକ୍ଷ ସାଧାରଣ ଲୋକେ ମୃତ୍ୟୁ ମୁଖରେ ପଡିଥିଲେ ଓ ଚାରି ଲକ୍ଷରୁ ଅଧିକ ମହିଳାମାନେ ବଳାତ୍କାରର ଶିକାର ହୋଇଥିଲେ ତଥା ବଙ୍ଗଳାଦେଶର ସାତ କୋଟି ଜନସଂଖ୍ୟା ମଧ୍ୟରୁ ତିନି କୋଟି ଜନସାଧାରଣ ଭାରତ ସମେତ ଅନେକ ଦେଶକୁ ଯାଇ ଶରଣାର୍ଥୀର ଜୀବନ ବଞ୍ଚିଥିଲେ। ଯୁଦ୍ଧ କାରଣରୁ କେବଳ ବଙ୍ଗଳାଦେଶ, କି ପାକିସ୍ଥାନ ନୁହେଁ, ଭାରତର ସୀମାନ୍ତ ଅଞ୍ଚଳର ଲକ୍ଷ ଲକ୍ଷ ଲୋକେ ମଧ୍ୟ କାମ ଧନ୍ଦା ହରେଇ ବେକାର ହୋଇଥିଲେ। ଯୁଦ୍ଧ କାରଣରୁ ପାକିସ୍ଥାନ କଥା ଛାଡ, ଭାରତ ଯେ, କେତେ ବର୍ଷ ପଛକୁ ପଳାଇଲା ତାହାର ଆକଳନ ଏଯାବତ ହୋଇ ନାହିଁ ।
୨୨ ଏପ୍ରିଲରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଛବିଶ ଜଣ ସାଧାରଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ପରେ ସମସ୍ତ ଭାରତ ଏକତା ଦେଖାଇବା ନିମନ୍ତେ ଏକାଠି ଛିଡା ହୋଇଛି। ଏହି ଏକତା କେବଳ ଆତଙ୍କବାଦ ଓ ପାକିସ୍ତାନ ପ୍ରେରିତ ଉପଦ୍ରବକାରୀଙ୍କୁ ଉତ୍ତର ଦେବା ପାଇଁ ନୁହେଁ, ବରଂ ଏହା ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି ଯେ, ଆମ ଦେଶ ଅତୁଟ ଓ ଅଦମ୍ୟ, ଅଟଳ। ଆତଙ୍କବାଦ ଓ ଏହା ପଛରେ ଥିବା ଶକ୍ତିଶାଳୀ ବିଦେଶୀ ଗୋଷ୍ଠୀ , ଯେଉଁମାନେ ଭାରତକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ସେମାନେ ବୁଝିବା ଉଚିତ, କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କମାକ୍ଷା ପର୍ଯ୍ୟନ୍ତ ଏହା ଏକ ଓ ଅଭିନ୍ନ ରାଷ୍ଟ୍ର ଅଟେ। ଯେତେବେଳେ ସାରା ଦେଶ ଦଙ୍ଗା ଓ ହିଂସାର ନିଆଁରେ ଜଳୁଥିଲା, ଆଜକୁ ଅଠସ୍ତରୀ ବର୍ଷ ପୂର୍ବେ ଗାନ୍ଧୀଜୀ ଶେଷଥର ପାଇଁ କାଶ୍ମୀର ଯାଇଥିଲେ, ସେତେବେଳେ କିନ୍ତୁ ଏହା ଶାନ୍ତ ଓ ସଂଯମିତ ଥିଲା। ସେତେବେଳେ ବାପୁ କହିଥିଲେ – “ମୁଁ ଆଶାର କିରଣ କେବଳ କାଶ୍ମୀରରେ ଦେଖୁଛି।” ଆଜି ସେଇ ଆଶାକୁ କାଶ୍ମୀରବାସୀ ଓ ଭାରତବାସୀ ଜାଗ୍ରତ କରି ରଖିଛନ୍ତି।
ଯୁଦ୍ଧ ଭଳି ଏକ ଅବାସ୍ତବ ବିକଳ୍ପ ପଛରେ ନଦଉଡି ଭାରତ କୂଟନୈତିକ ଦୃଷ୍ଟିରୁ ପାକିସ୍ଥାନ ସରକାର ଓ ଏହାର ବନ୍ଧୁମାନଙ୍କର ମୁଖା ଦୁନିଆ ସମ୍ମୁଖରେ ଖୋଲିଦେବା ଆବଶ୍ୟକ। ଏଥିସହ ନିଜର ଆଭ୍ୟନ୍ତରୀଣ ସୁରକ୍ଷାରେ ରହିଥିବା ତୃଟିକୁ କଠୋର ଭାବରେ ଅନୁଶୀଳନ କରି ଆଗାମୀ ଦିନରେ ଏସବୁକୁ ସୁଧାରିନେବା ଜରୁରୀ। ସବୁଠୁ ବଡକଥା, ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଉଭୟ ହିନ୍ଦୁ ଓ ମୁସଲମାନ ଯେଭଳି ବଡ ସଂଖ୍ୟାରେ ଏକତ୍ର ହୋଇ ଦେଶର ଏକତା ଅଖଣ୍ଡତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି, ତାହାର ସୁଯୋଗ ନେଇ ବିଗତ ଦିନମାନଙ୍କରେ ଏହି ଦୁଇ ମତାବଲମ୍ବୀମାନଙ୍କ ମଧ୍ୟରେ ତିଆରି ହୋଇଥିବା ଦୂରତାକୁ ଭାଙ୍ଗିବା ଦିଗରେ କାର୍ଯ୍ୟ ଆରମ୍ଭ ହେଉ । ଯଦ୍ୱାରା ପାକିସ୍ଥାନ ବା ଅନ୍ୟ କେହି ଭାରତ ଦିଗରେ ଚାହିଁବା ପୂର୍ବରୁ ଶହେ ଥର ଭାବିବ ।
ଡଃ ବିଶ୍ୱଜିତ
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଖରାବାଦ, କଟକ । ଯୋଗାଯୋଗ:୯୪୩୭୨୧୮୭୧୭