ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । ଗତ ମୌସୁମୀ ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟଦିବସ ଥିଲା; ତାହାବି ସୁରୁଖୁରୁରେ ଚାଲି ପାରିଲା ନାହିଁ। ଗୋଟିଏ ଦିନ ଆଗରୁ ବିଧାନସଭାକୁ ମୁଲତବୀ ଘୋଷଣା କରାଗଲା। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ବିଧାନସଭା ଚାଲିବାକୁ ଥିବାବେଳେ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟଦିବସ ରହିଛି। ତେବେ ବିରୋଧୀଙ୍କ ହାତରେ ସରକାରଙ୍କୁ ଘେରିବା ପାଇଁ ମାଳମାଳ ପ୍ରସଙ୍ଗ ଥିବାରୁ ଶୀତ ଅଧିବେଶନ ବେଶ୍‌ ଉଷ୍ମ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ। ଏହି ଲମ୍ବା ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ, ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ଯେ ମୂଳରୁ କମ୍ପମାନ ହେବ, ସେନେଇ ଆକଳନ କଲେଣି ରାଜନୈତିକ ସମୀକ୍ଷକ। ଚଳିତ ଖରିଫ୍‌ ଋତୁ ପାଇଁ ଧାନ କିଣାର ବିଭ୍ରାଟ ଘଟିବା ନେଇ ଆଶଙ୍କା ଦେଖାଦେଇଛି। ବିଶେଷକରି ମଣ୍ଡି ଖୋଲିବାରେ ବିଳମ୍ବତାକୁ ନେଇ ବିରୋଧୀ ସରକାରଙ୍କୁ ଷଣ୍ଢୁଆଷୀ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଯେପରି ନିୟମିତ ଭାବେ ତଳକୁ ତଳକୁ ଯାଉଛି, ସେନେଇ ସରକାରଙ୍କୁ ଜବାବ୍‌ ମାଗିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି ବିରୋଧୀ। ନୂଆପଡ଼ା ଉପ ନିର୍ବାଚନରେ ସରକାରୀ ଦଳ ଯେପରି ପ୍ରଶାସନକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେଇ ନିର୍ବାଚନ ଲଢ଼ିଲା, ଆଚରଣ ବିଧିର ଧଜ୍ଜିଆ ଉଡ଼ାଇଲା ତାହା ମଧ୍ୟ ବଡ଼ ପ୍ରସଙ୍ଗ ହେବ ବୋଲି ବିରୋଧୀ ବିଧାୟକମାନେ ସୂଚନା ଦେଇଛନ୍ତି। ଏତଦ୍‌ ବ୍ୟତୀତ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ବିଶେଷକରି ବାଲିର ବେଧଡ଼କ ଚୋରି, ପ୍ରଶ୍ନପତ୍ର ଲିକ୍‌ ମାମଲା, ଦାଦନ, ଦରଦାମ ବୃଦ୍ଧି, ମହାନଦୀ, ପୋଲାଭରମ୍‌ ଓ କୋଟିଆ ସମସ୍ୟାକୁ ନେଇ ଗୃହକୁ ସରଗରମ କରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏହିକ୍ରମରେ ଆସନ୍ତାକାଲି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ଅନୁଷ୍ଠିତ ହେବାକୁ ଥିବାବେଳେ ଉଭୟେ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେବେ।

Leave a Reply

Your email address will not be published. Required fields are marked *