ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼: ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ବରଗଡ଼ରେ ମହାରାଜ କଂସଙ୍କ ରାଜ ଦରବାର ଆଜି ଉଦ୍‌‌ଘାଟିତ ହେବ। ସନ୍ଧ୍ୟାରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମଧୁ ଛନ୍ଦା ସାହୁ, ଏସ୍‌‌ପି ପ୍ରହଲ୍ଲାଦ ସହାୟ ମୀନା, ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଦ୍‌‌ଘାଟିତ ହୋଇ ମଥୁରା ନଗରୀରେ ନାମିତ ହେବ। ପୁରା ବରଗଡ଼ ସହରବାସୀ ତଥା ଧନୁଯାତ୍ରା ଦେଖିବାକୁ ଆସୁଥିବା ଲୋକମାନେ ସମସ୍ତେ ଜଣେ ଜଣେ କଳାକାର ହୋଇ ମହାରାଜଙ୍କ ଆଦେଶକୁ ମାନିବେ। ଦୀର୍ଘ ୧୧ ଦିନ ଧରି କଂସ ମହାରାଜଙ୍କ ରାଜତ୍ୱ ଚାଲିବ। ଧନୁଯାତ୍ରାରେ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ ପାଇଁ ସୁଯୋଗ ପାଇଥିବା ଅତାବିରାର ସୁଶୀଲ ମେହେର ଅତାବିରା ଦୁର୍ଗା ମନ୍ଦିରକୁ ଆସି ମାଁ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀ ମେହେର ନିଜ ମଞ୍ଚ ଅଭିନେତା ଜୀବନର ଆରମ୍ଭରେ ୨୦୦୩ରୁ ଅତାବିରା ଦୁର୍ଗା ପୂଜା ଯାତ୍ରାରେ ରାବଣ ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ। ତା’ପରେ ସେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ମଞ୍ଚରେ ରାବଣ, କଂସ, କଳାପାହାଡ଼ ଆଦି ଭୂମିକାରେ ନିଖୁଣ ଅଭିନୟ କରି ବେଶ୍‌‌ ପ୍ରଶଂସିତ ହୋଇଛନ୍ତି। ମଙ୍ଗଳବାର ଦୁର୍ଗା ମନ୍ଦିର କାର୍ଯ୍ୟାଳୟ ପୂଜା କମିଟି ସଭାପତି ସୁରେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମନ୍ଦିର କମିଟି ସଭାପତି ଡ.ରାମକୈଲାସ ଅଗ୍ରୱାଲ, ଅତାବିରା ଗ୍ରାମ୍ୟ କମିଟି ସଭାପତି ଦୈତାରୀ ପ୍ରଧାନ, ଏନ୍‌‌ଏସି ଅଧ୍ୟକ୍ଷ ବନମାଳି ବରିହା ପ୍ରମୁଖ ମେହେରଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରରେ ଅତାବିରାର ବିଭିନ୍ନ ସଂଗଠନ, ସଂସ୍ଥା ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ପରେ ମାଁଙ୍କ ପାଖକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଚଳିତ ବର୍ଷ ଅଧିକାଂଶ ନୂତନ କଳାକାରଙ୍କୁ ନେଇ ଏତେ ବଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମନରେ ଅଧିକ ଉତ୍କଣ୍ଠା ଦେଖା ଦେଇଛି।

Leave a Reply

Your email address will not be published. Required fields are marked *