କୋରାପୁଟ: ରିଲ୍ସ ନିଶା ସାଜିଲା କାଳ । ପ୍ରଖର ସ୍ରୋତରେ ବ୍ରହ୍ମପୁରର ଜଣେ ୨୨ ବର୍ଷୀୟ ୟୁଟ୍ୟୁବର ସାଗର ଟୁଡୁ କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ ଭାସିଯାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳୁ ନାହିଁ । ସୂଚନା ଅନୁଯାୟୀ, ସାଗର ତାଙ୍କ ୟୁଟ୍ୟୁବର ଚ୍ୟାନେଲ ପାଇଁ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ଭିଡିଓ ସୁଟିଂ କରିବା ପାଇଁ ତାଙ୍କ ବନ୍ଧୁ ଅଭିଜିତ ବେହେରାଙ୍କ ସହିତ କଟକରୁ କୋରାପୁଟ ଯାତ୍ରା କରିଥିଲେ । ଶନିବାର ଅପରାହ୍ନରେ ସାଗର ଡୁଡୁମା ଜଳପ୍ରପାତରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରି ରିଲ୍ ରେକର୍ଡିଂ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଘଟଣାଟି ସମ୍ପୂର୍ଣ୍ଣ ଭାବେ କ୍ୟାମେରାରେ କଏଦ୍ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ସାଗର ଟୁଡୁ ଜଳପ୍ରପାତ ମଝିରେ ଠିଆ ହୋଇଛନ୍ତି ଏବଂ ଅନ୍ୟମାନେ ତାଙ୍କୁ ରଶି ବ୍ୟବହାର କରି ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ, ଏକ ପ୍ରଖର ସ୍ରୋତ ତାଙ୍କୁ ଭାସାଇ ନେଇ ଯାଇଥିଲା । ତେବେ ମାଛକୁଣ୍ଡ ଡ୍ୟାମ୍ କର୍ତ୍ତୃପକ୍ଷ ଲମତାପୁଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦୦୦ କ୍ୟୁସେକ୍ ପାଣି ଛାଡିଥିଲେ, ଯାହା ପରେ ତଳମୁଣ୍ଡରେ ରହୁଥିବା ବାସିନ୍ଦାଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ହଠାତ୍ ଜଳ ପ୍ରବାହ ବୃଦ୍ଧି ପାଇବା ଯୋଗୁଁ ସାଗର ମଝି ପଥରରେ ଫସି ରହିଥିଲେ। ସୂଚନା ପାଇ ମାଛକୁଣ୍ଡ ପୁଲିସ୍ ଷ୍ଟେସନ ଏବଂ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ପତ୍ତା ମିଳି ପାରିନାହିଁ । ଏନେଇ କୋରାପୁଟର ପୁଲିସ୍ ଅଧୀକ୍ଷକ କହିଛନ୍ତି, ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଏବଂ ଅଗ୍ନିଶମ ଦଳକୁ ସେଠାରେ ନିୟୋଜିତ କରାଯାଇଛି। ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ମଧ୍ୟ ଜଣାଇ ଦିଆଯାଇଛି।
ଭିଡ଼ିଓ ସୁଟିଂ ବେଳେ ଭାସିଗଲେ ୟୁଟ୍ୟୁବର
