ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ୬.୫ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୧୨ ଦିନ ମଧ୍ୟରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ଉନ୍ମୋଚିତ ହୋଇଛି।
ଉଦ୍ଯାପନୀ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ସାମନ୍ତ ଚନ୍ଦ୍ର ଶେଖର ପତ୍ରାବଳୀ”, “ବଳରାମ ଦାସ” “ଶିଶୁ ଅନନ୍ତ ଦାସ”, “ଯଶୋବନ୍ତ ଦାସ”, ଅନୁବାଦ ସାହିତ୍ୟ ପରିଷଦ ତରଫରୁ ସାନ୍ତାଳୀ ଭାଷାରେ ଅନୁଦିତ ପୁସ୍ତକ “ପିଲାଙ୍କ ଚିଠି ଓ ଆଇନ ଷ୍ଟାଇନଙ୍କ ଉତ୍ତର”, “ଲେଡ଼ି ଡ୍ରାଇଭର”, ଶ୍ରୀ ଗୋବିନ୍ଦଙ୍କ ଦ୍ୱାରା ଲିଖିତ ପୁସ୍ତକ “ସ୍ୱାସ୍ଥ୍ୟ ମନ୍ତ୍ର”, ବିଜୟ କୁମାର ଛାଟୋଇଙ୍କ ଲିଖିତ “କବିତାମାଳା”, ପ୍ରଭାତୀ ମିଶ୍ରଙ୍କ ରଚିତ “ଦ ଡ଼ାଇମଣ୍ଡ ଟ୍ରାଇଆଙ୍ଗେଲ”, କନକ ବାଳା ଦାସଙ୍କ ଲିଖିତ “ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ନାରୀ ଚରିତ୍ର” ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ଉଦ୍ଯାପନୀ ସମାରୋହରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଯଶୋଧରା ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ବେଳେ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ର ଶେଖର ହୋତା ଉପସ୍ଥିତ ଥିଲେ।
