ଭୁବନେଶ୍ୱର: ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା । ଏନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟିକା ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଓ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଏସପି ଅଫିସ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ତରଫରୁ ଧାରଣା ଦିଆଯିବା ସହିତ ଏହି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ । ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ ଓ ମହିଳାଙ୍କୁ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବ୍ରହ୍ମଗିରିର ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିର ସଦ୍ୟତମ ନମୁନା । ଏହି ଘଟଣା ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ପୁନରାବୃତ୍ତି । ରାଜ୍ୟରେ ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଇତ୍ୟାଦି ଘଟଣା ଯେପରି ଥମିବାର ନାଁ ନେଉନାହିଁ । ଦୁଷ୍କର୍ମ ଓ ନାରୀ ନିର୍ଯାତନା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ, ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି ।
ଗୋପାଳପୁର ଘଟଣା ପରେ, ଆମେରିକା ତରଫରୁ ଜାରି କରାଯାଇଥିବା ଆଡ଼ଭାଇଜରିରେ ମହିଳା ସୁରକ୍ଷା ସ୍ଥିତି ଠିକ୍ ନଥିବା ଦର୍ଶାଇ ଓଡ଼ିଶା ସମେତ ୬ଟି ରାଜ୍ୟକୁ ତାଙ୍କ ଦେଶର ମହିଳା ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା । ସେହିପରି ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜାଜନକ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା । କିନ୍ତୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜୁ ମହିଳା ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।
ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା: ସବୁ ଜିଲ୍ଲାର ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ମହିଳା ବିଜେଡ଼ି
