ଦୀପାବଳି ବଜାରରେ ଚାଇନା ଉତ୍ପାଦର ଆଧିପତ୍ୟ, ଫିକା ପଡିଲା ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ

Oplus_131072

ଭୁବନେଶ୍ୱର: ଦେଶ ଭରି ଦୀପାବଳି ଉତ୍ସବ ଆଗମନ ସହିତ ଆଲୋକ ସଜାଣି ଆରମ୍ଭ ହୋଇଛି। କିନ୍ତୁ ଏହି ଆଲୋକ ଚମକ ପଛରେ ଚାଇନା ଅର୍ଥନୀତି ଆଉଥରେ ଚମକୁଛି, ଯେଉଁଠି ‘ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସ ଦମ୍‌ ଦେଖାଇପାରୁନି।ବିଭିନ୍ନ ସହରର ବଡ଼ ଇଲେକ୍ଟ୍ରିକାଲ ଦୋକାନଗୁଡ଼ିକରେ ଚାଇନାରେ ତିଆରି ଏଲଇଡି ଲାଇଟ୍‌ର ଚାହିଦା ବେଶି ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ଚାଇନାର ୧୦ ମିଟର ଏଲଇଡି ଲାଇଟ୍‌ର ଦାମ୍‌ ୯୫ ରୁ ୧୧୦ ଟଙ୍କା ମଧ୍ୟରେ ମିଳୁଛି, ଯେଉଁଠି ଭାରତୀୟ ଲାଇଟ୍‌ର ଦାମ୍‌ ପ୍ରାୟ ଦୁଇଗୁଣ, ଅର୍ଥାତ୍‌ ୨୨୦ ଟଙ୍କା ପର୍ଯ୍ୟନ୍ତ। ଭାରତୀୟ ଉତ୍ପାଦ ଗୁଣମାନରେ ଭଲ ହେଲେ ମଧ୍ୟ, ଏହାର ପ୍ଲଗ୍‌ ଚାଇନା କନେକ୍ଟର ସହ ସମନ୍ୱୟ ନହେବାରୁ ଗ୍ରାହକମାନେ ଅସୁବିଧା ଭୋଗୁଛନ୍ତି। ଦୋକାନୀମାନେ ଏହା ପାଇଁ ‘ଜୁଗାଡ଼’ କରିବାକୁ ପରାମର୍ଶ ଦେଉଛନ୍ତି।ଚାଇନାରେ ଏଲଇଡି ଲାଇଟ୍‌ ସହିତ କନେକ୍ଟର ମଧ୍ୟ ତିଆରି ହୁଏ, ଯାହା ତାଙ୍କ ଉତ୍ପାଦକୁ ଅଧିକ ସୁବିଧାଜନକ କରିଦେଇଛି। ଅପରପଟେ, ଭାରତୀୟ ଉତ୍ପାଦକମାନେ ଏହି ଖେତ୍ରରେ ପ୍ରୟାପ୍ତ ଧ୍ୟାନ ଦେଇନାହାନ୍ତି।ପ୍ରତିବର୍ଷ ଦୀପାବଳି ଅବସରରେ ଲକ୍ଷ ଲକ୍ଷ ଟଙ୍କାର ଏଲଇଡି ଲାଇଟ୍‌ ଓ କନେକ୍ଟର ଚାଇନାରୁ ଆମଦାନି ହୁଏ। ୨୦୨୨ରେ ଚାଇନା ଭାରତକୁ ୭୧୦ ମିଲିୟନ ଡଲାର ମୂଲ୍ୟର ଏଲଇଡି ଉତ୍ପାଦ ରପ୍ତାନି କରିଥିଲା। ବର୍ତ୍ତମାନ, ୨୦୨୫ରେ ଭାରତ ଓ ଚାଇନାର ବାଣିଜ୍ୟ ଆକଳନ ୯୯ ବିଲିୟନ ଡଲାରରେ ପହଞ୍ଚିଛି।ଏହି ଆକଡ଼ା ଦେଖାଉଛି ଯେ ଦୀପାବଳି ଆଲୋକରେ ଚମକୁଥିବା ଚାଇନା ମାଲ ମାତ୍ର ଦୋକାନଗୁଡ଼ିକୁ ନୁହେଁ, ଚାଇନା ଅର୍ଥନୀତିକୁ ମଧ୍ୟ ଉଜ୍ଜ୍ୱଳ କରୁଛି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଉଦ୍ୟମ ଏପର୍ଯ୍ୟନ୍ତ ଏହି ଖେତ୍ରରେ ଚାଇନା ସହ ପ୍ରତିଯୋଗିତା କରିପାରିନାହିଁ।

Leave a Reply

Your email address will not be published. Required fields are marked *