ପୁଣି ଭାରତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ପୁଣି ଭାରତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ। ଟାରିଫ ବିବାଦର ସମାଧାନ ପାଇଁ ଚାଲିଛି ଭରପୂର ଉଦ୍ୟମ। ଟ୍ରମ୍ପ କହିଛନ୍ତି, ବାଣିଜ୍ୟ ପ୍ରତିବନ୍ଧକ ଦୂର ପାଇଁ ଜାରି ରହିଛି ଆଲୋଚନା। ବନ୍ଧୁ ମୋଦିଙ୍କ ସହ କଥା ହେବା ପାଇଁ କରିଛି ଅପେକ୍ଷା। ସଫଳ ନିଷ୍କର୍ଷରେ ପହଞ୍ଚିବାକୁ ହେବନି କୌଣସି ଅସୁବିଧା। ଟ୍ରମ୍ପଙ୍କ ଏଭଳି ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ମତାମତ ରଖି କହିଛନ୍ତି – ମୁଁ ଆଲୋଚନା ପାଇଁ ମଧ୍ୟ ଆଗ୍ରହୀ, ବାଣିଜ୍ୟ ଉପରେ ଆଲୋଚନା ଶୀଘ୍ର ସମାପ୍ତ ହେବ।
ଭାରତ ଏବଂ ଆମେରିକାର ସମ୍ପର୍କ ଗତ କିଛି ମାସ ଧରି ବାଣିଜ୍ୟ ଉତ୍ତେଜନା ଦେଇ ଗତି କରୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ ସେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉତ୍ତେଜନାର ସମାଧାନ ପାଇଁ ଆଲୋଚନା କରିବେ। ଟ୍ରମ୍ପଙ୍କ ବୟାନ ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ଏକ ବୟାନ ଆସିଛି। ମୋଦି କହିଛନ୍ତି ଯେ ମୁଁ ବିଶ୍ୱାସ କରୁଛି ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀତାର ଅସୀମ ସମ୍ଭାବନା ଖୋଲିବା ପାଇଁ ପଥ ପ୍ରଶସ୍ତ କରିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ଖରାପ ହେଉଥିଲା। ଟ୍ରମ୍ପ ପାକିସ୍ତାନ ଅପେକ୍ଷା ଭାରତ ଉପରେ ଅଧିକ ଶୁଳ୍କ ଲଗାଇଥିଲେ। ଟ୍ରମ୍ପ କହିଥିଲେ ଯେ ସେ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଅଧିକ ଶୁଳ୍କ ଲଗାଉଛନ୍ତି। ଗତ କିଛି ଦିନ ଧରି ଟ୍ରମ୍ପ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ବିଭିନ୍ନ ପ୍ରକାରର ବୟାନ ଦେଉଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ ଭାରତ ଏବଂ ଆମେରିକା ବହୁତ ଭଲ ବନ୍ଧୁ ସହ ସ୍ୱାଭାବିକ ଅଂଶୀଦାର। ଆମ ଟିମ ଏହି ବାଣିଜ୍ୟ ଆଲୋଚନାଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ କାମ କରୁଛି। ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଅପେକ୍ଷା କରିଛି। ଏକାଠି ଆମେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ସୃଷ୍ଟି କରିବୁ।

Leave a Reply

Your email address will not be published. Required fields are marked *