ନୂଆପଡ଼ା ଉପନର୍ବାଚନ: କଂଗ୍ରେସକୁ ସମର୍ଥନ କରିବ ସିପିଆଇ(ଏମ୍)

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ବି ବଢିବାରେ ଲାଗିଛି । ପ୍ରତ୍ୟେକ ରାଜନୈତିକ ଦଳ ଜିତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହି ସମୟରେ ନୂଆପଡା ଉପ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବ ବୋଲି ସିପିଆଇ (ଏମ୍) ନିଷ୍ପତ୍ତି ନେଇଛି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ସିପିଆଇ (ଏମ୍) ଏହି ଘୋଷଣା କରିଛି ।
ଏହି ଅବସରରେ ଦଳ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ନୂଆପଡ଼ା ଉପନିର୍ବାଚନ କେବଳ ପ୍ରାର୍ଥୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ନୁହେଁ ଏହା ଆମ ସମ୍ବିଧାନ, ଧର୍ମନିରପେକ୍ଷତା ଓ ଓଡ଼ିଶାର ସମସ୍ତ ସମ୍ପ୍ରଦାୟର ଗଣତାନ୍ତ୍ରିକ ଅଧିକାରର ଭବିଷ୍ୟତ ଉପରେ ଏକ ଜନମତ ସଂଗ୍ରହ । ତେଣୁ ସିପିଆଇ(ଏମ) ଓଡ଼ିଶା ରାଜ୍ୟ କମିଟି ନୂଆପଡ଼ାର ଜନତା, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି, ଶ୍ରମିକ, କୃଷକ, ଯୁବକ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ସମସ୍ତ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ବିଜେପିର ସାମ୍ପ୍ରଦାୟିକ-ହିନ୍ଦୁତ୍ଵବାଦୀ ରାଜନୀତିକୁ ବିଚ୍ଛିନ୍ନ ଏବଂ ପରାସ୍ତ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଆହ୍ଵାନ ଜଣାଇଛନ୍ତି। ରାଜନୈତିକ ଦୃଷ୍ଟିରୁ ଏହି ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଓଡ଼ିଶାରେ ଡବଲ ଇଞ୍ଜିନ ବିଜେପି ସରକାର ସମୟ ରେ ସାଂପ୍ରଦାୟିକ ହିଂସା, ସାମାଜିକ ବିଦ୍ୱେଷ, ଦଳିତ ଉତ୍ପୀଡନ, ଆଦିବାସୀ ବିସ୍ଥାପନ ଏବଂ ମହିଳା ନିର୍ଯ୍ୟାତନା ଅତ୍ୟନ୍ତ ଉଦବେଗଜନକ ଭାବେ ବୃଦ୍ଧି ପାଇଛି । ବିଜେପି ଏବଂ ଏହାର ସହଯୋଗୀ ସଂଗଠନ ମାନେ ହିନ୍ଦୁତ୍ଵବାଦୀ ରାଜନୀତି ପାଇଁ ସାମାଜିକ ସଦଭାବ ଏବଂ ସମ୍ପ୍ରୀତିକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ପରାସ୍ତ କରି ସାମ୍ପ୍ରଦାୟିକ ସଦଭାବ ଓ ଗଣତାନ୍ତ୍ରିକ ଅଧିକାରକୁ ରକ୍ଷା କରିବା ଜରୁରୀ ବୋଲି ସିପିଆଇ(ଏମ୍) ବିଚାର କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।ଦଳ ପକ୍ଷରୁ ଆହୁରି କୁହାଯାଇଚି ଯେ, ୧୬ ମାସର ଶାସନରେ ବିଜେପି ନିର୍ବାଚନ ପ୍ରତିଶୃତି କୁ ଭୁଲି ଯାଇଛି । ରାଜ୍ୟରେ ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧିକରଣ ରାଜନୀତି ଯୋଗୁଁ ଜନ ଜୀବନ ଦୁର୍ବିସହ ହୋଇ ପଡ଼ିଛି । କୃଷି ସଙ୍କଟ, ମଜୁରୀରେ ଶୋଷଣ, ପ୍ରବାସ ଓ ଲଗାମହୀନ ମୂଲ୍ୟବୃଦ୍ଧିରେ ନୂଆପଡ଼ାର ସାଧାରଣ ଜନତା, କୃଷକ, ଶ୍ରମିକ, ଛୋଟ ବ୍ୟବସାୟୀ ଏବଂ ଯୁବକ ଜର୍ଜରିତ। ବିଜେପିର ନୀତି କର୍ପୋରେଟ ଲୁଣ୍ଠନ ଏବଂ ସାଂପ୍ରଦାୟିକମେଣ୍ଟ ର ମଧୂଚନ୍ଦ୍ରିକାକୁ ସୁଦୃଢ଼ କରୁଛି ।
ନୂଆପଡ଼ା ଉପନର୍ବାଚନରେରେ ସମସ୍ତଙ୍କୁ କାମ, ରୋଜଗାର, ସ୍ବାସ୍ଥ୍ୟ, ଶିକ୍ଷା, ମୂଲ୍ୟବୃଦ୍ଧି ରୋକିବା ଓ ସାମାଜିକ ନ୍ୟାୟ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହୋଇଛି ।
ଏହି ପୃଷ୍ଠଭୂମିରେ ସିପିଆଇ(ଏମ) ଓଡ଼ିଶା ରାଜ୍ୟ କମିଟି ନୁଆପଡ଼ାର ସମସ୍ତ ଗଣତାନ୍ତ୍ରିକ ଭୋଟରଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜେପିର ସାମ୍ପ୍ରଦାୟିକ ଯୋଜନାକୁ ପରାସ୍ତ କରିବାକୁ ଅନୁରୋଧ କରୁଛି । ଏହି ଉପନିର୍ବାଚନରେ ଓଡ଼ିଶାର ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ରାଜନୀତି ପାଇଁ ନୂଆପଡା ଏକ ସ୍ପଷ୍ଟ ବାର୍ତ୍ତା ଦେଉ ବୋଲି ନୂଆପଡ଼ାର ଭୋଟର ମାନଙ୍କୁ ସିପିଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ଆହ୍ଵାନ ଦେଇଛି ।

Leave a Reply

Your email address will not be published. Required fields are marked *