ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଚୂଡ଼ାନ୍ତ ଭୋଟର୍ ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନୂଆପଡ଼ାର ଖୁଣ୍ଟିଆ ଭବନଠାରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭୋଟ ଚୋରିର ପର୍ଦ୍ଦାଫାସ ସାରା ଭାରତରେ ଲୋକଙ୍କୁ ଜାଗ୍ରତ କରିଛି I ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡୁଛି । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ବିପୁଳ ବିଜୟ ହେଉଥିବା ଜାଣି ବିଜେପି ଭୟଭୀତ ହୋଇପଡ଼ିଛି । ସରକାର କଂଗ୍ରେସକୁ ହରାଇବା ପାଇଁ ସମସ୍ତ ପ୍ରକାରର କୌଶଳକୁ ଆପଣେଇଛନ୍ତି। ଭୋଟରଙ୍କୁ ନେଇ ଏକ ବିରାଟ ବ୍ୟତିକ୍ରମର ପ୍ରମାଣ ହସ୍ତଗତ ହୋଇଛି। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସଂଶୋଧିତ ତଥା ଚୂଡ଼ାନ୍ତ ଭୋଟର୍ ତାଲିକାରେ ୫ହଜାର ନୂଆ ଭୋଟରଙ୍କୁ ଯୋଡ଼ିଛନ୍ତି । କଂଗ୍ରେସର ପ୍ରଶ୍ନ, ଏହି ଏହି ୫ ହଜାର ମତଦାତା କୁଆଡ଼ୁ ଆସିଲେ? ଏମାନେ ବାହାରୁ ଆମଦାନୀ ଭୋଟର୍ ନୁହଁନ୍ତି ତ ?
କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ. ହମିଦହୁସେନ କହିଥିଲେ, ବିଜେପି ସରକାର ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେଇପାରିନି। ଏଥୁରୁ ପଶ୍ଚିମ ଓଡ଼ିଶା ପ୍ରତି ବିଜେପିର ଆନ୍ତରିକତା ଜଳଜଳ ଦିଶୁଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ାର ବିକାଶ ପାଇଁ କଂଗ୍ରେସର ଭିଜନ ଡକ୍ୟୁମେଣ୍ଟ ବର୍ଣ୍ଣନା କରିଥିଲେ I ପିସିସି ପ୍ରବକ୍ତା ବିଭୂତିଭୂଷଣ ମହାପାତ୍ର ଧନ୍ୟବାଦ ଜଣାଇବା ସହ ଭୋଟ୍ ଚୋରି ରୋକିବାକୁ ବାହାରର ନକଲି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟ୍ ପୂର୍ବରୁ ଦୁଇ ତିନିଦିନ ରେଳଷ୍ଟେସନରେ କଡ଼ା ଯାଞ୍ଚ କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବକଂଗ୍ରେସ ନେତା ଗଣେଶ ସାହୁ, ନୂଆପଡ଼ା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର, ତୁଲେଶ୍ଵର ନାଏକ, ରବି ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ I
ଭୋଟ୍ ଚୋରି ପ୍ରକ୍ରିୟାରୁ ନୂଆପଡ଼ା ବାଦ୍ ନୁହେଁ: କଂଗ୍ରେସ
