ସମ୍ପତ୍ତି ତାଲିକା ଦେଲେ ନାହିଁ; ମିଳିବନି ପଦୋନ୍ନତି

ଭୁବନେଶ୍ୱର: ଏବେ ହରଡ଼ଘଣାରେ ପଡ଼ିଛନ୍ତି ସରକାରୀ ବାବୁ। ଯେଉଁ ଅଧିକାରୀ ୨୦୨୪ ମସିହାର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି, ଚଳିତ ବର୍ଷ ସେମାନେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେହିପରି ୨୦୨୫ ମସିହାର ସମ୍ପତ୍ତି ତାଲିକା ଆସନ୍ତା ଜାନୁଆରୀ ୧ରୁ ୩୧ ତାରିଖ ମଧ୍ୟରେ ଦାଖଲ କରିବାକୁ ହେବ। ଯେଉଁମାନେ ଏହି ତାଲିକା ଦାଖଲ କରିବାରେ ବ୍ୟର୍ଥ ହେବେ, ସେମାନଙ୍କୁ ଆଗାମୀ ବର୍ଷ ବି ପଦୋନ୍ନତି ମିଳିବ ନାହିଁ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବହୁ ସରକାରୀ କର୍ମଚାରୀ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଦାଖଲ କରିନାହାନ୍ତି। ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମା ବୃଦ୍ଧି ପାଇଁ ଇତିମଧ୍ୟରେ ବହୁ ଅନୁରୋଧ ବିଭାଗ ପାଖରେ ହସ୍ତଗତ ହୋଇଥିଲା। ବିଭାଗୀୟସ୍ତରରେ ଏହି ଅନୁରୋଧକୁ ବିଚାର କରାଯିବା ପରେ ପ୍ରଶାସନିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ୨୦୨୪ ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ। ଏପରିକି ଏଥିନିମିତ୍ତ ଆଉ ପୋର୍ଟାଲ ଖୋଲିବ ନାହିଁ ବୋଲି ସାଧାରଣ ବିଭାଗ ସ୍ପଷ୍ଟ କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭାଗୀୟ ପଦୋନ୍ନତି ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ । ଏହି ନିୟମ ଆଧାରରେ ଯେଉଁ କର୍ମଚାରୀ ନିଜର ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟରେ ଦାଖଲ କରିନାହାନ୍ତି ସେମାନେ ପଦୋନ୍ନତି ପାଇଁ କୌଣସି ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ନିକଟରେ ଯୋଗ୍ୟ ବିବେଚିତ ହେବେ ନାହିଁ । ଏପରିକି ସମସ୍ତ ବିଭାଗ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହ ସମ୍ପତ୍ତି ତାଲିକା ଦାଖଲ ନକରିଥିବା କୌଣସି କର୍ମଚାରୀଙ୍କ ପଦୋନ୍ନତି ଆବେଦନ ଯେପରି ଡିପିସି ନିକଟରେ ଉପସ୍ଥାପିତ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପତ୍ତି ତାଲିକା ଦାଖଲ କରି ନ ଥିବାରୁ ଅନେକ ପୁଲିସ ସବ୍‌ଇନ୍ସପେକ୍ଟର ପଦୋନ୍ନତି ପାଇବାକୁ ବଞ୍ଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *