ନବୀନଙ୍କ ସଭା ଭଣ୍ଡୁର ପାଇଁ ବିଜେପି କରୁଛି ଉଦ୍ୟମ: ବିଜେଡ଼ି

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ବିଭିନ୍ନ ରାଜନୈତିକ ଦଳ ଜୋରସୋର ଆରମ୍ଭ କରିଦେଇଛନ୍ତି ନିର୍ବାଚନ ପ୍ରଚାର। ଏହାରି ଭିତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ପକ୍ଷରୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଏକ ଅଭିଯୋଗରେ କୁହାଯାଇଛି ଯେ, ଶାସକ ଦଳ ଭାରତୀୟ ଜନତା ପାର୍ଟି ଇଚ୍ଛା ପୂର୍ବକ ଆମ ଦଳପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩ ନଭେମ୍ବର ୨୦୨୫ ତାରିଖରେ ତରବୋଡ଼ ଧନମଣ୍ଡି ପଡ଼ିଆ, କୋମନା ବ୍ଲକରେ ହେବାକୁ ଥିବା ସାର୍ବଜନିକ ସଭାକୁ ବାଧା ଦେବା ପାଇଁ ଷଡଯନ୍ତ୍ର ଚଳାଇଛି। ଏହା ସଂପର୍କିତ ଏକ ଅଡିଓ ରେକର୍ଡିଂରେ ଗାଁ ସାଥୀ ସଂଘଠନର ଅଧ୍ୟକ୍ଷ ଲକ୍ଷ୍ମୀଧର ବିଶ୍ୱାଳ ସ୍ୱୟଂ ସ୍ୱୀକାର କରିଛନ୍ତି ଯେ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ତାଙ୍କ ସଂଘଠନ ସଦସ୍ୟମାନଙ୍କୁ ସେହି ତାରିଖ ଓ ସ୍ଥାନରେ ଏକତ୍ର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ସଂଗଠିତ ଉଦ୍ୟମ ଯାହା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପରିବେଶକୁ ଭଙ୍ଗ କରିବାକୁ ଉଦ୍ଦେଶ୍ୟ ବୋଲି ବିଜେଡ଼ି ଅଭିଯୋଗ କରିଛି।ବିଜୁ ଜନତା ଦଳ ଦ୍ୱାରା ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି ଯେ, ଏହି ବିଷୟକୁ ଗୁରୁତ୍ୱ ଦେଇ ନିର୍ବାଚନରେ ଶାନ୍ତି, ଶୃଙ୍ଖଳା ସୁନିଶ୍ଚିତ କରଯାଉ। ବିଜେଡ଼ି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ନିରଞ୍ଜନ ବିଶି, ମନ୍ମଥ ରାଉତରାୟ ଅଭିଯୋଗ ଦାଖଲ କରିଥିଲେ। ଅନ୍ୟପକ୍ଷେ ଦଳ ପକ୍ଷରୁ ନୂଆପଡ଼ା ଏଲଇଡି ଭିଡିଓ, ସମ୍ବଲପୁରୀ ଲୋଗୋର ପ୍ରାମାଣିକତା ପାଇଁ ଅନୁରୋଧ କରାଯାଇଛି। ଦଳ ଦ୍ୱାରା ସଂପୂର୍ଣ୍ଣ ସମୀକ୍ଷା କରିବା ପରେ ଏହି ଭିଡିଓରେ ନିର୍ବାଚନ ଆଚରଣବିଧି କିମ୍ବା ନିର୍ଦ୍ଦେଶାବଳୀର କୌଣସି ଉଲ୍ଲଂଘନ ନଥିବା ଜଣାପଡ଼ିଛି। ଏହିପରି ଏହି ଭିଡିଓକୁ ଶୀଘ୍ର ପ୍ରମାଣିତ କରି ନିର୍ବାଚନ ପ୍ରଚାରରେ ବ୍ୟବହାର ପାଇଁ ଅନୁମତି ଦିଆଯାଉ ଭାବେ ଦଳ ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *