ରବି ରାୟ ଜନ୍ମ ଶତବାର୍ଷିକୀ ସମାରୋହ ଉଦଘାଟିତ : ନଟବର ଷଡ଼ଙ୍ଗୀ ପାଇଲେ ‘ରବି ରାୟ ଲୋକଶକ୍ତି ସବୁଜ ସମ୍ମାନ’

ଭୁବନେଶ୍ୱର : ଗଣତନ୍ତ୍ର, ଗୋଟିଏ ଅର୍ଥରେ, ଶାସନର ଏକ ରୂପ ଭାବରେ ବିବେଚିତ ହୋଇଛି। ଏକ ବ୍ୟାପକ ଅର୍ଥରେ, ଏହା ଏକ ଜୀବନଶୈଳୀ ଅଟେ। ଶାସନର ଏକ ଢାଞ୍ଚା ଭାବରେ, କ୍ଷମତା କେନ୍ଦ୍ରୀଭୂତ ହେବା ଉଚିତ ନୁହେଁ; ଏହା ଅନେକ ଅନୁଷ୍ଠାନ ମଧ୍ୟରେ ବିକେନ୍ଦ୍ରିତ ହୋଇ ରହିଥାଏ। ଉଦାର ଗଣତନ୍ତ୍ର ପାଇଁ, ନିର୍ବାଚନ ପ୍ରକ୍ରିୟାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଭାବରେ ବିବେଚନା କରାଯାଇଛି, ଏହି ଅନୁମାନରେ ଯେ ସର୍ବୋଚ୍ଚ କ୍ଷମତାର ଉତ୍ସ ଲୋକମାନଙ୍କ ନିକଟରେ ନ୍ୟସ୍ତ ରହିଛି। ଏହା ସଭ୍ୟତାର ଏକ ଅଗ୍ରଗତି। ଭାରତୀୟ ସମ୍ବିଧାନର ଉଦଘାଟନୀ ସମୟରେ, ଡକ୍ଟର ବାବାସାହେବ ଆମ୍ବେଦକର ମତ ଦେଇଥିଲେ ଯେ, ଆମର ବିଷମତା ମୂଳକ ସମାଜ ଉପରେ ଗଣତନ୍ତ୍ର କେବଳ ଏକ ଆବରଣ ମାତ୍ର ଥିଲା। ଠିକ୍ ଏହି କାରଣରୁ ହିଁ ଭାରତୀୟ ରାଷ୍ଟ୍ରରେ ପରିବର୍ତ୍ତନ ଆଣିବା ପାଇଁ ସମ୍ବିଧାନରେ ନିର୍ଦ୍ଦେଶ ଥିଲା। ରାଷ୍ଟ୍ର ମୂଳତଃ କ୍ଷମତାର ଏକ ସଂଗଠିତ ରୂପ। ମୋଟାମୋଟି ଅର୍ଥରେ ଏହା ଏକ ଅନୁଷ୍ଠାନିକ ହିଂସା। ରାଷ୍ଟ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଶୃଙ୍ଖଳା ବଜାୟ ରଖିବା। ପ୍ରଶ୍ନ ହେଉଛି : କ୍ଷମତା, ଯାହା ମୂଳତଃ ସ୍ୱାଧୀନତାର ବିପରୀତ, କିପରି ଏକ ଗଣତାନ୍ତ୍ରିକ ସମାଜ ସୃଷ୍ଟି କରିପାରିବ ? ସାମ୍ବିଧାନର ଲକ୍ଷ କେବଳ ଏକ ଗଣତାନ୍ତ୍ରିକ ସମାଜ ନିର୍ମାଣ ନୁହେଁ, ବରଂ ଏକ ସମାନତାବାଦୀ, ଅଂଶଗ୍ରହଣକାରୀ ଏବଂ ସୁସଙ୍ଗତ ସାମାଜିକ-ଅର୍ଥନୈତିକ ବ୍ୟବସ୍ଥା ସୃଷ୍ଟି କରିବା ଥିଲା। ଏହି ଦ୍ୱନ୍ଦ୍ୱ ଭାରତକୁ ଦ୍ୱିଧାଗ୍ରସ୍ତ କରିଛି ଏବଂ ଫଳସ୍ୱରୂପ ସମାଜ ଆଜି ବି ବିଖଣ୍ଡିତ ହୋଇ ରହିଛି ବୋଲି ଆଜି ଭୁବନେଶ୍ୱର ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଲୋକସଭାର ପ୍ରାକ୍ତନ ବାଚସ୍ପତି ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସମାଜବାଦୀ ନେତା ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ ସ୍ମାରକୀ ବକ୍ତୃତା ପ୍ରଦାନ କରି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ପ୍ରଫେସର ଜି ହରଗୋପାଳ ଏହା କହିଥିଲେ। ରବି ରାୟ ଜନ୍ମ ଶତବାର୍ଷିକୀ ରାଜ୍ୟ ସମିତି, ରବି ରାୟ ସ୍ମୃତି କମିଟି ଓ ଲୋହିଆ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ରବି ରାୟ ଜନ୍ମ ଶତବାର୍ଷିକୀ ଉଦଘାଟନ ସମାରୋହରେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ତଥା ରବି ରାୟ ଜନ୍ମ ଶତବାର୍ଷିକୀ ରାଜ୍ୟ ସମିତିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ଆନନ୍ଦ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରଫେସର ମନୋରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଲୋହିଆ ଏକାଡ଼େମୀର ସଭାପତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ସଭାରେ ଉପସ୍ଥିତ ଥିବା ବେଳେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ହେବାକୁ ଥିବା ଶତବାର୍ଷିକୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ଏହି ସଭାରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶାର ବିସ୍ଥାପିତ ଲୋକମାନଙ୍କ ସ୍ଥିତିକୁ ଆଧାର କରି ‘ହୋୟାର ଇଜ ଜଷ୍ଟିସ ?’ ପୁସ୍ତକ ଉନ୍ମୋଚିତ କରାଯାଇଥିଲା।ଏହି ସଭାରେ ବିଶିଷ୍ଟ ଦେଶୀ ଚାଷ ଗବେଷକ ନଟବର ଷଡଙ୍ଗୀଙ୍କୁ ତାଙ୍କ ଜୀବନବ୍ୟାପୀ ସାଧନା ନିମନ୍ତେ ରବି ରାୟ ଲୋକଶକ୍ତି ସବୁଜ ସମ୍ମାନରେ ସମ୍ମାନିତ କରାଯିବା ସହ ସମ୍ମାନ ବାବଦରେ ମାନପତ୍ର, ମୋମେଣ୍ଟୋ ଓ ପଚିଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ ଶତବାର୍ଷିକୀ ସମିତିର ସମ୍ପାଦକ ଡାକ୍ତର ବିଶ୍ୱଜିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *