କଲେଜ୍ ଆଇସିସି ରିପୋର୍ଟ ଦାଖଲ ନ କରିଲେ କର୍ମଚାରୀଙ୍କ ଦରମା ବନ୍ଦ : କଟକ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

କଟକ : ଜିଳ୍ଲାପାଳଙ୍କ ନିର୍ଦ୍ଦେଶ ପାଳନ ନହେଲେ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କଟକ ଜିଲ୍ଲାର କିଛି କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ରିପୋର୍ଟ ଦାଖଲ କରିନଥିବାରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ।ସୂଚନାଯୋଗ୍ୟ ଯେ, ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ଏବେ କ୍ୟାମ୍ପସରେ ସୁରକ୍ଷା ନେଇ ତତ୍ପରତା ଦେଖାଇଥିବା ବେଳେ କଟକ ଜିଲ୍ଲାର ୨୧୦ଟି କଲେଜଙ୍କୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଆଇସିସି ରିପୋର୍ଟ ମାଗିଥିଲେ ଜିଲ୍ଲା ପ୍ରଶାସନ। ଯେଉଁଥିରେ ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିଦେଇଛନ୍ତି ବହୁ କଲେଜ। ଏପର୍ଯ୍ୟନ୍ତ ଚିଠିର କୌଣସି ଉତ୍ତର ଦେଇନାହାନ୍ତି। ଯାହାକୁ ନେଇ ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ରିପୋର୍ଟ ଦେଇନଥିବା କଲେଜ କର୍ମଚାରୀଙ୍କ ଦରମା ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ଆଇସିସି ରିପୋର୍ଟ ନ ଦେଲେ ସେଇ ସବୁ କଲେଜର ଅଧ୍ୟକ୍ଷଙ୍କୁ ନିଲମ୍ୱନ କରିବା ନେଇ ଚେତାବନୀ ଦିଆଯାଇଛି। ଜିଲ୍ଲାପାଳଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ଆଇସିସି ରିପୋର୍ଟ ଦାଖଲ ନ କରାଯାଏ, ତେବେ କଲେଜ ଅଧ୍ୟକ୍ଷ ସସପେଣ୍ଡ ହେବେ। ବାଲେଶ୍ବର ଏଫଏମ କଲେଜର ପୀଡିତା ଛାତ୍ରୀଙ୍କ ଆତ୍ମହୂତି ପରେ କଲେଜଗୁଡିକରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଏଫଏମ କଲେଜର ପୀଡିତା ଛାତ୍ରୀ ଆଇସିସିରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତର ସହ ନିଆଯାଇନଥିଲା। ଫଳରେ ଏତେ ବଡ ଅଘଟଣ ଘଟିଲା। ଏନେଇ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି।

Leave a Reply

Your email address will not be published. Required fields are marked *