ଭୁବନେଶ୍ୱର : ରାଜ୍ୟ ସରକାର ସଂକଳ୍ପ ପତ୍ର ଆଗତ କରିବା ପୂର୍ବରୁ ଜନମତ ଗ୍ରହଣ ନକରି ବିଧାନସଭା ଗୃହରେ ପାରିତ କରାଇଦେବା ଜନମତ ତଥା ଗଣତନ୍ତ୍ର ପ୍ରତି ଅବମାନନା ବୋଲି ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ସଂକଳ୍ପ ପତ୍ର ନୁହେଁ, ବରଂ ପ୍ରଦୂଷଣକାରୀ କମ୍ପାନୀମାନଙ୍କ ପାଇଁ ସରକାରଙ୍କ ପ୍ରେମପତ୍ର ବୋଲି ଆଜି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି କହିଛନ୍ତି।
ପ୍ରଦୂଷଣ ନିୟନ୍ତ୍ରଣ ଆଇନ ହୋଇଛି ଯେକୌଣସି କମ୍ପାନୀ ଜଳ ହେଉ, ବାୟୁ ହେଉ କିମ୍ବା ମାଟି ହେଉ ତାକୁ ପ୍ରଦୂଷିତ କରିପାରିବ ନାହିଁ। ସେଥିପାଇଁ ପରିବେଶ ମଞ୍ଜୁରୀ ବେଳେ ସର୍ତ୍ତ ଧାର୍ଯ୍ୟ ହୁଏ, ଏସବୁ ଉଲଂଘନ କଲେ ଦଣ୍ଡିତ ହେବାକୁ ବାଧ୍ୟ। ଦଣ୍ଡ କେବଳ ଆର୍ଥିକ ଦଣ୍ଡ ନୁହଁ, ଯେଉଁଠି ବିଷାକ୍ତ ପ୍ରଦୂଷିତ ମଣିଷ ଓ ଗୃହପାଳିତ ପଶୁମାନଙ୍କ ସ୍ୱାସ୍ଥ୍ୟ ତଥା ଜୀବନ ପ୍ରତି କ୍ଷତି କରେ ତାହା ନିଶ୍ଚିତ ଭାବେ ଦଣ୍ଡନୀୟ ଅପରାଧ ଯାହାକୁ ଜେଲ କିମ୍ବା ଆର୍ଥିକ ଦଣ୍ଡ ଅଦାଲତ ଦ୍ୱାରା ଦିଆଯାଏ। ଏଥିପାଇଁ ଆଇନ ରହିଛି ଯଦିଓ ଯଥେଷ୍ଟ ନୁହଁ। ଏପରି ବ୍ୟବସ୍ଥା ଥିବା ସତ୍ତ୍ୱେ ସରକାର ତଥା ପ୍ରଶାସନର କମ୍ପାନୀ ପ୍ରୀତି ପାଇଁ ମାମଲା ରୁଜୁ ହୁଏ ନାହିଁ।
ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ ଆଇନରେ ସଂଶୋଧନ ଅଣାଯାଇ କିପରି ଉଲଂଘନକାରୀଙ୍କୁ ଅଧିକ ଜେଲଦଣ୍ଡ ଦିଆଯାଇପାରିବ ତାହା ନକରି ଜେଲ ଦଣ୍ଡକୁ ଉଠାଇଦେଇ କେବଳ ସୀମିତ ଅର୍ଥଦଣ୍ଡ ଦେଇ ପ୍ରଦୂଷଣକାରୀଙ୍କୁ ନିର୍ଭୟ ବରଦାନ ସ୍ୱରୂପ ଏହି ସଂକଳ୍ପ ପତ୍ର ଚଳିତ ବିଧାନସଭାରେ ପାରିତ କରାଯାଇଛି, ଯାହା ଦ୍ବାରା ରାଜ୍ୟର ନଦୀ, ନାଳ, ହ୍ରଦ ସମେତ ବାୟୁମଣ୍ଡଳ ପ୍ରଦୂଷଣର ଗନ୍ତାଘର ପାଲଟିଯିବ ଓ ମଣିଷ ଜୀବନକୁ ହନ୍ତସନ୍ତ କରିବ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ଶିକାର ହୋଇ ଶତାଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ହେଲାଣି। ଏବେ ବି କିଡ଼ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ା ସହର ସମେତ ଆଖପାଖ ଗ୍ରାମରେ ସାଧାରଣ ଜନତାଙ୍କ ଜଳ ଓ ବାୟୁ ବିଷାକ୍ତ ହୋଇଛି। ଭେଡ଼େନ୍, ବ୍ରାହ୍ମଣୀ, ମହାନଦୀ, ଦୟା, ଚିଲିକା ଆଦି ବିଷାକ୍ତ ପ୍ରଦୂଷଣର ଶିକାର ହେଲେଣି। ଏବେ ବିଭାଗୀୟ ମନ୍ତ୍ରୀ ସଫେଇ ଦେଇ କହିଛନ୍ତି ଯେ, ଯେତେ ପ୍ରଦୂଷଣକୁ କ୍ଷମା କରାଯିବ ସେତେ ଶିଳ୍ପପତିମାନେ ଓଡ଼ିଶାକୁ ଆସିବେ ଅର୍ଥାତ୍ ଶିଳ୍ପପତିମାନଙ୍କୁ ମୃତ୍ୟୁ ଯନ୍ତ୍ରଣାର ସୌଦାଗର ରୂପେ ସରକାର ସ୍ୱାଗତ କରୁଛନ୍ତି। ଏପରି ବିଚାର ଓ ନିଷ୍ପତ୍ତି ଜନତାଙ୍କୁ ମୌଳିକ ଅଧିକାର ସ୍ୱଚ୍ଛ ଜଳ, ସ୍ୱଚ୍ଛ ବାୟୁ ଓ ସୁସ୍ଥ ପରିବେଶ ଅଧିକାରରୁ ବଞ୍ଚିତ କରାଯିବା ଏକ ସାଂଘାତିକ ଅପରାଧ।
ଏହି ସଂକଳ୍ପ ପତ୍ର ଜରିଆରେ ରାଜ୍ୟର ଅଧିକାରକୁ ସଙ୍କୁଚିତ କରାଯାଇ କେନ୍ଦ୍ର ହାତରେ କ୍ଷମତା କେନ୍ଦ୍ରୀକରଣ କରାଯାଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ସ୍ୱାୟତ୍ତତାକୁ ଶେଷ କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଅଧିସ୍ତନ ବିଭାଗ ରୂପେ ପରିଣତ କରାଯାଉଛି। ଆଜିର ଦିନରେ ରାଜ୍ୟର ଜଳ ବ୍ୟବହାର କରି କମ୍ପାନୀମାନେ ପ୍ରାୟ ୬ ହଜାର କୋଟି ଟଙ୍କା ଦେୟ ଦେଇନଥିବା ବେଳେ ମାତ୍ର କେତୋଟି ଟଙ୍କା ଜୋରିମାନା ଆଦାୟ ହେବ କିପରି ? ତାହା ମଧ୍ୟ ବିକାଶ ପାଇଁ ସହାୟକ ହେବ ବୋଲି ମନ୍ତ୍ରୀଙ୍କ ଉତ୍ତର ଅତି ହାସ୍ୟାସ୍ପଦ। ଜଣେ ସରକାରୀ ଅଧିକାରୀ ସରକାର ତଥା ଶାସକ ଦଳର ପ୍ରିୟ କମ୍ପାନୀର ଅପରାଧକୁ କିପରି ବିଚାର କରିପାରିବ ତାହା ସନ୍ଦେହ ଜନକ। ଏହି ସଂକଳ୍ପ ପତ୍ର ଦ୍ୱାରା ପରିବେଶ – ଆଇନର ଖିଲାପ ବିରୋଧରେ ତଥା ପ୍ରଦୂଷଣ ଜନିତ କ୍ଷୟକ୍ଷତି ବିରୋଧରେ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ ଓ ଉଚ୍ଚ ନ୍ୟାୟାଳୟରେ ଜନସାଧାରଣଙ୍କ ହିତରେ ତଥା ଜନହିତ ମାମଲା ରୁଜୁ କରିବା ଅଧିକାରକୁ ଛଡ଼ାଇ ନିଆଯାଇଛି ବୋଲି ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ ନରେନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି।
ଏହି ସଂକଳ୍ପ ପତ୍ର ପ୍ରମାଣିତ କରୁଛି ଯେ, ଓଡ଼ିଶାର ପ୍ରାକୃତିକ ସଂପଦକୁ ଶେଷ କରି କମ୍ପାନୀଗୁଡ଼ିକ ହାତରେ ଟେକିଦେଇ ସେହି କମ୍ପାନୀଗୁଡ଼ିକର ଅପରାଧକୁ ମଧ୍ୟ ଦଣ୍ଡମୁକ୍ତ କରି ରାଜ୍ୟକୁ ସମ୍ବଳହୀନ ସହ ଏକ ପ୍ରଦୂଷିତ ଭୂଖଣ୍ଡରେ ପରିଣତ କରିବାକୁ ଡବଲ ଇଞ୍ଜିନ ସରକାରର ଚାଳକ ପ୍ରଧାନମନ୍ତ୍ରୀଙ୍କ ଅଫିସ ଦ୍ୱାରା ଏହା ଚକ୍ରାନ୍ତମୂଳକ ନିଷ୍ପତ୍ତି। ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ। ଦୁଇ ବିରୋଧୀ ଦଳ ଦ୍ୱାରା ବିଧାନସଭାରେ ଏହି ବିରୋଧକୁ ଆମେ ସ୍ୱାଗତ କରୁଛୁ। ବିରୋଧ ଦଳ ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ ସଡ଼କରେ ଗଣ ପ୍ରତିବାଦ କରିବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି।
