ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ,ସିବିଆଇ ତଦନ୍ତ ଦାବି କଲେ ବିଧାୟକ ରଣେନ୍ଦ୍ର ପ୍ରତାପ

ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ସରକାର ସିବିଆଇ ତଦନ୍ତ କରିବା ଉଚିତ। ଏହାସହ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସିବିଆଇ ତଦନ୍ତ କରାଯିବ।
ସୂଚନାଯୋଗ୍ୟ, ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ କମିସନଙ୍କ ଅଧକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଥିଲେ। ୨୦୧୮ ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମସ୍‌ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ତଦନ୍ତ ପରେ କମିସନ ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁ ନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ। କମିସନ ଅଫ୍ ଇନ୍‌କ୍ବାରି ଆଇନ ୧୯୫୨ର ଧାରା ୩(୪) ଅନୁସାରେ ସରକାର ଏହି ପ୍ରସଙ୍ଗରେ ପଦକ୍ଷେପ ନିଅନ୍ତୁ ବୋଲି ଦର୍ଶାଇ ଆବେଦନକାରୀ ୨୦୨୩ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କମିସନ ଅଫ୍ ଇନ୍‌କ୍ବାରି ଆଇନ ଅନୁସାରେ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *