ପୁଣି ୧୨ଜଣଙ୍କୁ ଗିରଫ କଲା ପୁଲିସ

ମାଲକାନଗିରି: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୧୨ ଜଣକୁ ଗିରଫ କରିଛି ପୁଲିସ।ଗତକାଲି ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣକୁ ପୁଲିସ ଗିରଫ କରିଥିଲା । ଘଟଣାରେ ମୋଟ ଗିରଫଦାରି ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ଜିଲାରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ରବିବାର ମାଲକାନଗିରିରେ ପହଞ୍ଚିଥିଲେ। ସର୍କିଟ ହାଉସରେ ଦୁଇ ସଂପ୍ରଦାୟର ବରିଷ୍ଠ ନେତାମାନଙ୍କୁ ପୃଥକ ପୃଥକ ଭାବେ ଡାକି ଆଲୋଚନା କରିଥିଲେ। ଆଦିବାସୀ ସଂଘର ନେତାମାନେ ବିଭିନ୍ନ ଦାବି ସାଂସଦଙ୍କ ନିକଟରେ ଉପସ୍ଥାପନା କରିଥିଲେ। ଜିଲାରେ ଶାନ୍ତି ପ୍ରତିଷ୍ଠା ନେଇ ସେମାନେ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବଙ୍ଗାଳୀ ସମାଜର ବରିଷ୍ଠ ନେତାମାନେ ମଧ୍ୟ ସାଂସଦ ମାଝୀଙ୍କ ସହ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ। ସ୍ଥିତି ସୁଧାର ଆସୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଗତ ସୋମବାରରୁ ଲାଗିଥିବା ବିଏନଏସ ଧାରା ୧୬୩ ହଟାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ତ ଯୋଗୁଁ ମୋଟ ୩ କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଏହି ଘଟଣାରେ ଉତ୍ତେଜନା ଥମିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଇଣ୍ଟରନେଟ୍‌ କଟକଣା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *