ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପଛରେ କ’ଣ ଥିଲା କାରଣ

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଜାତୀୟ ରାଜନୀତି କ୍ଷେତ୍ରରେ ଚାଲିଥିବା ଅନେକ ଚର୍ଚ୍ଚା ମଧ୍ୟରେ ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି ? ତେବେ ଜାତୀୟ ଗଣମାଧ୍ୟମରେ ଇସ୍ତଫା ପଛର ଚାଞ୍ଚଲ୍ୟକର କାରଣ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ବିଜେପି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମଧ୍ୟରେ ଅବିଶ୍ବାସ ଏତେ ବଢି ଯାଇଥିଲା ଯେ, ବିଜେପି ଶୀର୍ଷ ନେତୃତ୍ବଙ୍କ ପାଖରେ ଆଉ କିଛି ବାଟ ନଥିଲା । ପରିସ୍ଥିତି ଏତେ ବିଗିଡିଯାଇଥିଲା ଯେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ଫୋନ୍ କରି ଇସ୍ତଫା ଦେବାକୁ କହିଥିଲେ । ଆଉ ଇସ୍ତଫା ନଦେଲେ ତାଙ୍କ ବିରୋଧରେ ସରକାର ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି କହିଥିବା ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପଛର ଇନସାଇଡ୍ ଷ୍ଟୋରୀ କ’ଣ?

ଉପରାଷ୍ଟ୍ରପତି ପଦରେ ଥିବା ବେଳେ ଅନେକ ମନ୍ତ୍ରୀଙ୍କୁ ଜଗଦୀପ ଧନଖଡ଼ ଗାଳି କରିଥିବା କୁହାଯାଉଛି । ଜୁଲାଇ ୨୧ତାରିଖ ଦିନ ସାଢେ ୧୨ଟାରେ ବସିଥିବା ବିଜନେସ୍ ଆଡଭାଇଜରୀ କାଉନସିଲ ବୈଠକରେ ସରକାରଙ୍କ ପକ୍ଷରୁ ଜେପି ନଡ୍ଡା, କିରଣ ରିଜ୍ଜୁ, ଅର୍ଜୁନ ରାମ ମେଘାଓ୍ବଲ, ଏଲ୍ ମୁରୁଗନ ସାମିଲ ଥିଲେ । ଏଥିରେ ବିରୋଧୀ ଅପରେସନ୍ ସିନ୍ଦୂର ଚର୍ଚ୍ଚା ବେଳେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବା ସହ ପ୍ରଧାନମନ୍ତ୍ରୀ ଜବାବ ରଖିବାକୁ ଦାବି କରୁଥିବା ଧନଖଡ଼ କହିଥିଲେ । ଅପରାହ୍ନରେ ହୋଇଥିବା ବିଏସିର ବୈଠକରେ ୬୩ଜଣ ବିରୋଧୀ ସାଂସଦ ଆଣିଥିବା ଜଷ୍ଟିସ ବର୍ମାଙ୍କୁ ଅପସାରଣ ମୋସନକୁ ଆଗକୁ ବଢାଇଥିଲେ ଧନଖଡ଼ । ଗତ ୬ମାସ ହେଲା କେମିତି ଧନଖଡ଼ ସରକାରଙ୍କ ସହ ସମନ୍ବୟ ରକ୍ଷା କରିନାହାନ୍ତି ସେନେଇ ଆଲୋଚନା ହୋଇଥିଲା । ଧନଖଡ଼ଙ୍କୁ ଇସ୍ତଫା ଦେବାକୁ ଫୋନ୍ ଯିବା ପରେ ସେ ରାଷ୍ଟ୍ରପତି ଭବନକୁ ଯାଇଥିଲେ । ପଦରୁ ଇସ୍ତଫା ଦେବା ପରେ ସ୍ବାସ୍ଥ୍ୟଗତ କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ଏକ୍ସରେ ପୋଷ୍ଟ କରିଥିଲେ । ଧନଖଡ଼ଙ୍କ ଇସ୍ତଫା ପଛରେ ଅନେକ କାରଣ ନେଇ କୁହାଯାଉଥିବା ବେଳେ ଜାତୀୟ ଗଣମାଧ୍ୟମର ଏହି ରିପୋର୍ଟ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

Leave a Reply

Your email address will not be published. Required fields are marked *