ଭବନେଶ୍ୱର: ଜେଏସଡବ୍ଲୁ ଷ୍ଟିଲ୍ ଲିମିଟେଡ୍ ଏବଂ ଦକ୍ଷିଣ କୋରିଆର ପୋସ୍କୋ ଗ୍ରୁପ୍ ଭାରତରେ ବାର୍ଷିକ ୬ ନିୟୁତ ଟନ୍ ଏମଟିପିଏ ଇସ୍ପାତ କାରଖାନା ସ୍ଥାପନ କରିବାର ସମ୍ଭାବନା ଅନୁସନ୍ଧାନ କରିବା ପାଇଁ ହାତ ମିଳାଇଛନ୍ତି। ପ୍ରାକୃତିକ ସମ୍ବଳ ଆଧାର ଏବଂ ଲଜିଷ୍ଟିକ୍ ସୁବିଧା ସହିତ ଓଡ଼ିଶା ମଧ୍ୟ ବିଚାର କରାଯାଉଥିବା ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ରହିବ । କମ୍ପାନୀଗୁଡ଼ିକ ଏବେ ପ୍ଲାଣ୍ଟର ସ୍ଥାନ, ନିବେଶ ସର୍ତ୍ତାବଳୀ, ସମ୍ବଳ ଉପଲବ୍ଧତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ଏକ ଅଧ୍ୟୟନ କରିବେ। ପୋସ୍କୋ ହୋଲ୍ଡିଂସର ପ୍ରତିନିଧି ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଲି ଜୁ-ତାଇ ଏବଂ ଜେଏସଡବ୍ଲୁ ଷ୍ଟିଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଜୟନ୍ତ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ମୁମ୍ବାଇରେ ଏହି ଅଣ-ବାଧ୍ୟକତାମୂଳକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଜେଏସଡବ୍ଲୁ ଷ୍ଟିଲ୍ କହିଛି, “ଏହି ଅଣ-ବାଧ୍ୟତାମୂଳକ ବୁଝାମଣାପତ୍ର ଅକ୍ଟୋବର ୨୦୨୪ରେ ଉଭୟ ପକ୍ଷଙ୍କ ଦ୍ୱାରା ସ୍ୱାକ୍ଷରିତ ବୁଝାମଣାପତ୍ର ଉପରେ ଆଧାରିତ।”
ସୋମବାର ଜାରି ଏକ ବିବୃତ୍ତିରେ, ଜେଏସଡବ୍ଲୁ ଷ୍ଟିଲ୍ କହିଛି ଯେ ଏହା ଭାରତରେ ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନର ସମ୍ଭାବନା ଅନୁସନ୍ଧାନ କରିବା ପାଇଁ ଏକ ଅଣ-ବାଧ୍ୟତାମୂଳକ ଚୁକ୍ତିନାମା ସ୍ୱାକ୍ଷର କରିଛି।
