ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ । ନୂଆଦିଲ୍ଲୀ ଏମ୍ସରୁ ବିମାନ ଯୋଗେ ରବିବାର ରାତି ପ୍ରାୟ ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଛି। ଏଠାରୁ ପୀଡ଼ିତାଙ୍କ ମୃତଦେହ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ତାଙ୍କ ଜନ୍ମଭୂମିକୁ ନିଆଯାଉଛି । ପରିସ୍ଥିତି ଚାପା ଉତ୍ତେଜନା ଥିବାରୁ ବିମାନବନ୍ଦର ବାହାରେ କମିସନରେଟ ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ପହଞ୍ଚିଛନ୍ତି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ପୀଡିତାଙ୍କ ପୈତୃକ ଗାଁ ବାୟାବରକୁ ମରଶରୀର ନିଆଯାଇଛି। ସେଠାରେ ରୀତିନୀତି ଅନୁଯାଇ ସଂସ୍କାର କରାଯିବ। ବଳଙ୍ଗା ସ୍ଥିତ ଗାଁରେ ମଧ୍ୟ ସୁରକ୍ଷା ପାଇଁ ପୋଲିସ ମୁତୟନ ରହିଛନ୍ତି ।
ସୂଚନାଯୋଗ୍ୟ, ବଳଙ୍ଗାରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଥିବା ଏହି ଘଟଣା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା । ପୀଡ଼ିତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ସେଠାରେ ୧୪ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।