ଟିପିସିଓଡିଏଲ୍ ଅଫିସ୍ ଆଗରେ ବିକ୍ଷୋଭ, ଲୋକଙ୍କ ସ୍ୱାର୍ଥ ପାଇଁ ଗର୍ଜିଲା ବିଜେଡ଼ି

ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲା ବିଜେଡ଼ି । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡିର ନେତା ଓ କର୍ମୀ । ଭୁବନେଶ୍ୱର ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାଧାରଣ ଲୋକଙ୍କ ପାଇଁ ସରକାର ଚିନ୍ତା କରନ୍ତୁ ବୋଲି କୁହାଯାଇଛି ।ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦମୂଳକ ବିକ୍ଷୋଭ କରାଯାଇ ସରକାରଙ୍କୁ ଚେତାବନୀ ଦିଆଯାଇଛି । ତୁରନ୍ତ ଟାଟା କମ୍ପାନୀ ସ୍ମାର୍ଟ ମିଟର ପ୍ରତ୍ୟାହାର କରିବା ସହ ଲୋକଙ୍କ ହିତ ସାଧନ ପାଇଁ ଚିନ୍ତା କରିବା ଦରକାର ବୋଲି କୁହାଯାଇଛି । ବରିଷ୍ଠ ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ଦେବୀ ମିଶ୍ର, ପ୍ରୀତି ରଞ୍ଜନ ଘଡାଇ, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।ସରକାରଙ୍କ ଇଙ୍ଗିତରେ ଟାଟା ଲୋକଙ୍କଠାରୁ ଟଙ୍କା ଲୁଟୁଛି ବୋଲି ନେତାମାନେ ଅଭିଯୋଗ କରିଥିଲେ । ବିଜେପି ସରକାରକୁ ଆସିବା ଆଗରୁ ୩ଶହ ୟୁନିଟ ବିଦ୍ୟୁତ ଛାଡ କରିବ ବୋଲି କହିଥିଲା । ହେଲେ ତାହା ନକରି ଓଲଟା ଲୋକଙ୍କୁ ଶୋଷଣ କରୁଛି ବୋଲି କୁହାଯାଇଛି । ବିଜେଡ଼ି କହିଛି ଯେ, ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଜିଜିଆ କର ସହ ସମାନ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଟାଟା ପାୱାରର ସବୁ ଅଫିସ୍ ବିଜେଡ଼ି ଘେରାଉ କରିବ। ଆଗକୁ ପ୍ରତି ଗାଁରେ ଏହାକୁ ନେଇ ଆନ୍ଦୋଳନ କରିବ ଦଳ।

Leave a Reply

Your email address will not be published. Required fields are marked *