ଭୁବନେଶ୍ୱର: ଶନିବାର ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ବ୍ୟାପକ ଆୟୋଜନ ହୋଇଥିଲେ ମଧ୍ୟ ଲୋକ ନ ହେବାରୁ ହତାଶ ହୋଇ ବିଜେପି ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଫୋପାଡ଼ି ଦେଇଥିଲା । ଏହି ଖାଦ୍ୟ ଖାଇ ୨୦ଟି ଗୋମାତାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଛି ବିଜେଡି। ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ଦଳ ଗୋ-ମୃତ୍ୟୁ ପାଇଁ ଦାୟୀ ବୋଲି ବିଜେଡି ପକ୍ଷରୁ ଉର୍ସନା କରାଯାଇଛି।
ରବିବାର ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ କମ୍ ସଂଖ୍ୟକ ଲୋକଙ୍କ ଉପସ୍ଥିତି ବିଜେପି ଦଳକୁ ନିରାଶ କରିଥିଲା I ମୁଖ୍ୟମନ୍ତ୍ରୀଙ୍କ ସଭା ଚାଲିଥିବା ବେଳେ ଲୋକମାନେ ଉଠି ଚାଲିଯିବା ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ଯେ ବିଜେପି ଉପରେ ନୂଆପଡ଼ାବାସୀଙ୍କ ଭରସା ନାହିଁ । ତେଣୁ ହତାଶ ହୋଇ ବିଜେପି ଦଳ ବଳକା ଖାଦ୍ୟକୁ ପୋତିବା ପରିବର୍ତ୍ତେ ଫୋପାଡ଼ି ଦେଇଥିଲା I ସ୍ଥାନୀୟ ବାସିନ୍ଦାଙ୍କ ଗୃହପାଳିତ ପଶୁ ଏହାକୁ ଖାଇ ଅସୁସ୍ଥ ହୋଇପଡ଼ିଥିଲେ | ପରିଣାମସ୍ୱରୂପ, ୨୦ଟି ଅମୂଲ୍ୟ ପ୍ରାଣୀ ସମ୍ପଦ ମୃତ୍ୟୁବରଣ କଲେ। ଏହି ପ୍ରାଣୀ ସମ୍ପଦ ଦ୍ବାରା ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ଚାଲିଯାଇଛି।
ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ଦଳର ଅସଲ ସ୍ୱରୂପ ନୂଆପଡ଼ାବାସୀ ଦେଖିଥିଲେ । ଏହି ଅମାନବୀୟ ଘଟଣା ପାଇଁ ଦାୟୀ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଡ. ମହାନ୍ତି ଦାବି କରିଛନ୍ତି I ସେ ଆହୁରି କହିଥିଲେ ଯେ ରାଜନୀତି ଭିତରେ ମାନବିକତା ରହିବା ଦରକାର ।
ବିଜେପିର ଦାୟିତ୍ବହୀନତା ଲାଗି ଯେଉଁ ବହୁମୂଲ୍ୟ ପଶୁସମ୍ପଦ ହାନି ଘଟିଲା, ତାହା ନୂଆପଡ଼ାବାସୀଙ୍କ ମନକୁ ଗଭୀର ଆଘାତ ଦେଇଛି । ତାହାର କେବେ ବି କ୍ଷତିଭରଣା ହୋଇପାରିବ ନାହିଁ । ଭବିଷ୍ୟତରେ ଏହିଭଳି ଅମାନବୀୟ ଘଟଣାର ପୁନରାବୃତ୍ତି ଯେଭଳି ନ ହେବ, ସେଥିପ୍ରତି ବିଜେପି ଦଳ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଗୋମାତାଙ୍କ ପାଇଁ ରାଜନୀତି କରୁଥିବା ବିଜେପି ଗୋ-ମୃତ୍ୟୁ ପାଇଁ ଦାୟୀ : ବିଜେଡ଼ି
