ଟ୍ରେନରୁ ଟଙ୍କା ଜବତ ଘଟଣାରେ ବିଜେପି ଅଠା ବୋଳିବାର ହୀନ ଚକ୍ରାନ୍ତ କରୁଛି : କଂଗ୍ରେସ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ବିଜୟ ସମ୍ଭାବନା ଉଜ୍ଜ୍ବଳ ଜାଣି ଦଳକୁ ବଦନାମ କରିବାକୁ ବିଜେପି ହୀନ ଉଦ୍ୟମ ଆରମ୍ଭ କରିଦେଇଛି । ଗତକାଲି ଟିଟିଲାଗଡ଼ ଆରପିଏଫ୍ ପୁଲିସ ୯୦ଲକ୍ଷ ଟଙ୍କା ଧରିଥିବା ସୂଚନା ଦେଲା। କେସିଙ୍ଗା ଟିଟଲାଗଡ଼ ରେଲୱେ ଷ୍ଟେସନ ମଧ୍ୟରେ ଦୁଇଜଣଙ୍କୁ ଦୁଇଦିନରେ ଧରିଲା ଆରପିଏଫ । ସେମାନଙ୍କଠାରୁ ୯୦ ଲକ୍ଷ ଟଙ୍କା ଜବତ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଗଲା । ଏହି ଜବତ ହୋଇଥିବା ୯୦ ଲକ୍ଷ ଟଙ୍କାକୁ ଏକ ନିର୍ଦ୍ଦିଷ୍ଟ ୱେବ୍‌ ପୋର୍ଟାଲ ବିନା କୌଣସି ତଥ୍ୟପ୍ରମାଣରେ ଯେଭଳି କଂଗ୍ରେସ ଦଳ ଏବଂ ଏହାର ସଭାପତିଙ୍କୁ ସଂପୃକ୍ତ ଥିବା ଦର୍ଶାଇ ଚିତ୍ରଣ କରୁଛି, ତାହାକୁ ଆମ ଦଳ ଦୃଢ଼ ନିନ୍ଦା କରୁଛି ବୋଲି କଂଗ୍ରେସ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।
କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଉକ୍ତ ୯୦ଲକ୍ଷ ଟଙ୍କା ନେଇ ଜଣେ ବିହାରର ଉମେଶ ପ୍ରସାଦ ହୋଇଥିବା ବେଳେ ଆଉ ଜଣେ ଝାଡ଼ଖଣ୍ଡର ପ୍ରଭାତ କୁମାର ସାହୁ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । କିନ୍ତୁ ସାଧାରଣରେ ୨କୋଟିରୁ ଊର୍ଦ୍ଧ୍ଵ ଟଙ୍କା ବୋଲି ଚର୍ଚ୍ଚା ହେଉଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଏତେଗୁଡ଼ିଏ ଟଙ୍କା କିଏ କାହିଁକି କାହା ଉଦ୍ଦେଶ୍ୟରେ ପଠାଉଥିଲା? ସେମାନେ କେଉଁ ଦଳର କର୍ମୀ ଏପର୍ଯ୍ୟନ୍ତ ପୁଲିସ କୌଣସି ସ୍ପଷ୍ଟୀକରଣ ଦେଇନାହିଁ । କିମ୍ବା ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ I ପୁଣି ସେହି ରାସ୍ତାରେ ଅନ୍ୟ ଏକ ସାପ୍ତାହିକ ଟ୍ରେନ୍‌ରୁ କଳାହାଣ୍ଡିର ନରେଶ ଅଗ୍ରୱାଲ ଏବଂ ତାଙ୍କ ପୁତ୍ର ନିଲ ଅଗ୍ରୱାଲଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଜବତ କରି ଉପଯୁକ୍ତ ତଥ୍ୟ ଆଧାରରେ ପୁଲିସ ଉକ୍ତ ୨୦ ଲକ୍ଷ ଟଙ୍କାକୁ ଫେରସ୍ତ କରିଛି ବୋଲି କହୁଛି । ପ୍ରଶ୍ନ ଉଠୁଛି ଯେ ନରେଶ କାହାର ସମ୍ପର୍କୀୟ। ସେ ବିଜେପି ସାଂସଦ ସୁଜିତ କୁମାରଙ୍କର ସଂପର୍କରେ କ’ଣ? ଏହା କାହିଁକି ଉକ୍ତ ପୋର୍ଟାଲ୍ କହୁନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି । ଏହି ଦୁଇ ଘଟଣାର ଜବତ ଟଙ୍କାକୁ ଯୋଡ଼ି ବିଜେପି ଓଲଟା ଏକ ନିର୍ଦ୍ଦିଷ୍ଟ ୱେବ୍‌ପୋର୍ଟାଲକୁ ଆୟୁଧ କରି ବିରୋଧୀ ଦଳ କଂଗ୍ରେସ ବିରୁଦ୍ଧରେ ଅପପ୍ରଚାର ଚଳାଇଛି। ନୂଆପଡ଼ାରେ କଂଗ୍ରେସ ଜିତୁଛି ବୋଲି ଭୟରେ କଂଗ୍ରେସକୁ ବଦନାମ କରିବା ପାଇଁ ଏହା ସରକାରୀ ଦଳ ବିଜେପିର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ପ୍ରମାଣିତ ହେଉଛି। ବିଜେପି ଯେଭଳି ହୀନ ଏବଂ କୁତ୍ସିତ ରାଜନୀତି କରି କଂଗ୍ରେସକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛି, ସେଥ୍‌ରୁ କ୍ଷାନ୍ତ ନ ରହିଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅନ୍ୟତମ ପ୍ରବକ୍ତା ମଧୁସ୍ମିତା ଆଚାର୍ଯ୍ୟ କହିଥିଲେ ଯେ ଏପରି ମିଥ୍ୟା ଆରୋପ ଲଗାଇ କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ଯାହା କେବେ ବି ସଫଳ ହେବନାହିଁ । ମିଛ ଖବର ପ୍ରସାର କରୁଥିବା ୱେବ-ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ପ୍ରବକ୍ତା ଝୁନା ପଟ୍ଟନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *