ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ପରିଣତ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି, ଗଣତନ୍ତ୍ରରେ ହାରଜିତ ରହିଛି । କିନ୍ତୁ କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗି ଯିବ.. ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି । କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶବାସୀଙ୍କ ଦଳ। ସାଢେ ଚାରି କୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ। ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।
ବିଜୁ ଜନତା ଦଳକୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶରେ ଓଡିଶାବାସୀଙ୍କ ସେବା କରିଚାଲିଛି । ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶାର ବିକାଶ ଇତିହାସର ସୁବର୍ଣ୍ଣ ଯୁଗ । ଦାରିଦ୍ର୍ୟ, କ୍ଷୁଧା, ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ । ସଫଳ ମଧ୍ୟ ହୋଇଛୁ । ଓଡିଶାକୁ ନୂଆ ପରିଚୟ ଦେଇଛୁ । ମା’ମାନଙ୍କୁ ସଶକ୍ତ କରିଛୁ । ଚାଷୀଙ୍କ ରୋଜଗାର ଵୃଦ୍ଧି କରିଛୁ। BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ । ରାଜ୍ୟକୁ ପୁଞ୍ଜି ଆଣିଛୁ। ଯୁବ ସମାଜକୁ ନିଯୁକ୍ତି ଦେଇଛୁ। ଓଡିଶାକୁ ବିଜେଡି ସରକାର ନୂଆ ପରିଚୟ ଦେଇଛି। ବର୍ତ୍ତମାନର ବିଜେପି ସରକାରର କାମ ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି । କିନ୍ତୁ ବିକାଶ କାହିଁ? ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଏଵେ ଚାଷୀକୁ ସାର ମିଳୁନି।ମଣ୍ଡି ଖୋଲୁନି। ମିଶନ ଶକ୍ତି ମା’ମାନେ ହଇରାଣ ହେଉଛନ୍ତି । ଯୁବ ସମାଜ ହତାଶ। ଗତ ଅଠର ମାସରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍ ହେଲାଣି। ଆଇନଶୃଙ୍ଖଳା କଥା ନ କହିବା ଭଲ। ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଏପରିକି ଛୋଟ ଛୋଟ ଝିଅମାନେ ମଧ୍ୟ ନିରାପଦ ନୁଁହନ୍ତି । ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। ଯୁବ ସମାଜକୁ ଦଳର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ଆମର ପରିଚୟ। ତେଣୁ ବିଜେଡିର ଯୁବ ବନ୍ଧୁମାନେ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରିବାକୁ ବିଜେଡି ସଭାପତି ଆହ୍ୱାନ ଜଣାଇଥିଲେ। ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *