ଦୁର୍ଗାପୂଜା ସମୟରେ ବ୍ୟାନ୍ ହେବ ପଲିଥିନ୍ : ବିଏମସି

ଭୁବନେଶ୍ୱର: ଚାଲିଛି ପାର୍ବଣ ଋତୁ । ପୀଠମାନଙ୍କରେ ଷୋଡ଼ଷ ଉପଚାର ଚାଲିଥିବାବେଳେ ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଦଶହରା । ଦୁର୍ଗାପୂଜା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ପକ୍ଷରୁ କୁହାଯାଇଛି।
ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ । ଦୁର୍ଗାପୂଜା ସମୟରେ ଲୋକମାନଙ୍କୁ ପଲିଥିନ୍ କ୍ୟାରି ବ୍ୟାଗ ନ ନେବାକୁ ଅନୁରୋଧ କରାଯିବ । ଲୋକଙ୍କ ସଚେତନ କରିବା ପାଇଁ ଦୁର୍ଗାପୂଜା ସମୟରେ ସ୍ୱଚ୍ଛତା ଉପରେ ବାର୍ତ୍ତା ଥିବା ଲିଫଲେଟ୍ ବଣ୍ଟନ କରିବା ପାଇଁ କିଓସ୍କଗୁଡ଼ିକରେ ସ୍ୱେଚ୍ଛାସେବକମାନଙ୍କର ଏକ ଦଳ ନିୟୋଜିତ ହେବେ ।ସ୍ୱେଚ୍ଛାସେବକମାନେ ଲୋକମାନଙ୍କୁ ରାସ୍ତା ଏବଂ ନିକଟବର୍ତ୍ତୀ ପୂଜା ମଣ୍ଡପରେ ପୂଜା ଅଳିଆ ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍‌ରେ ଆବର୍ଜନା ପକାଇବାକୁ ସଚେତନ କରିବେ । ବରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ଼, ଝାରପଡ଼ା ଏବଂ ଡମଣା ଭଳି ବଡ଼ ମଣ୍ଡପରେ ଏହି କିଓସ୍କଗୁଡ଼ିକ ସ୍ଥାପନ କରାଯିବ ।
ଏହି କିଓସ୍କ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଲିଥିନ୍ କ୍ୟାରି ବ୍ୟାଗ ବ୍ୟବହାର ନକରିବା, ଅଳିଆ ଯାଞ୍ଚ୍ କରିବା, ସାନିଟାରୀ କର୍ମଚାରୀଙ୍କ ଉପରେ ବୋଝ କମାଇବା ଏବଂ ପ୍ଲାଷ୍ଟିକ୍ ଅଳିଆ ପରିଚାଳନାର ସାମଗ୍ରିକ ବୋଝକୁ କମ କରିବା ପାଇଁ ବାର୍ତ୍ତା ପ୍ରସାର କରିବା ।

Leave a Reply

Your email address will not be published. Required fields are marked *